କଲେଜ କ୍ୟାଣ୍ଟିନ୍‌ ଓ ହଷ୍ଟେଲରେ କମିବ ତେଲିଆ ଖାଦ୍ୟ: ପୁରୀ, ବରା ବଦଳରେ ପାରମ୍ପରିକ ତେଲ ଓ ଘିଅକୁ ଗୁରୁତ୍ୱ ଦେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌କୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜର କ୍ୟାଣ୍ଟିନ୍ ତଥା ହଷ୍ଟେଲଗୁଡ଼ିକରେ ଅତ୍ୟଧିକ ତେଲିଆ ଖାଦ୍ୟ ଏଡ଼ାଇବାକୁ ଏବଂ ରନ୍ଧନ ତେଲ ବ୍ୟବହାର ହ୍ରାସ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।

Aug 28, 2026 - 19:41
Updated: 2 months ago
0 8
କଲେଜ କ୍ୟାଣ୍ଟିନ୍‌ ଓ ହଷ୍ଟେଲରେ କମିବ ତେଲିଆ ଖାଦ୍ୟ: ପୁରୀ, ବରା ବଦଳରେ ପାରମ୍ପରିକ ତେଲ ଓ ଘିଅକୁ ଗୁରୁତ୍ୱ ଦେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ କ୍ୟାଣ୍ଟିନ୍ ଏବଂ ହଷ୍ଟେଲଗୁଡ଼ିକରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ଏଣିକି କ୍ୟାଣ୍ଟିନ୍‌ ଓ ହଷ୍ଟେଲ୍‌ଗୁଡ଼ିକରେ ରନ୍ଧନ ତେଲର ବ୍ୟବହାର ଯଥାସମ୍ଭବ କମାଇବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏ ନେଇ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏକ ଚିଠି ଲେଖାଯାଇଛି। ଦେଶବାସୀଙ୍କୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟରେ ସଚେତନତା ଆଣିବା ନେଇ ପ୍ରଧାନମନ୍ତ୍ରୀ କରିଥିବା ଅପିଲ୍‌କୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସାଧାରଣତଃ କ୍ୟାଣ୍ଟିନ୍‌ଗୁଡ଼ିକରେ ଛାତ୍ରଛାତ୍ରୀମାନେ ପୁରୀ, ବରା ଏବଂ ଆଳୁଚପ ଭଳି ଅତ୍ୟଧିକ ତେଲିଆ ଓ ଛଣାଛଣି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ଦୈନନ୍ଦିନ ଖାଦ୍ୟରେ ଏଭଳି ତେଲିଆ ଜିନିଷ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ ଏହାକୁ ଯଥାସମ୍ଭବ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ, କ୍ୟାଣ୍ଟିନ୍ ଏବଂ ହଷ୍ଟେଲ ମେସ୍‌ଗୁଡ଼ିକରେ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତି ସମୟରେ ମଧ୍ୟ ସାଧାରଣ ରିଫାଇନ୍ ବା ରନ୍ଧନ ତେଲର ବ୍ୟବହାରକୁ ସୀମିତ ରଖିବାକୁ କୁହାଯାଇଛି। ଏହା ବଦଳରେ ପାରମ୍ପରିକ ତଥା ସ୍ୱାସ୍ଥ୍ୟପ୍ରଦ ବିକଳ୍ପ ଆପଣାଇବାକୁ ବିଭାଗ ଗୁରୁତ୍ୱାରୋପ କରିଛି। ବିଶେଷକରି ଖାଦ୍ୟ ପ୍ରସ୍ତୁତିରେ ପାରମ୍ପରିକ ଘିଅ, ଶୁଦ୍ଧ ସୋରିଷ ତେଲ ଏବଂ ବାଦାମ ତେଲ (ଚିନାବାଦାମ ତେଲ)ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

କଲେଜ କର୍ତ୍ତୃପକ୍ଷ ନିଜ ସ୍ତରରେ କ୍ୟାଣ୍ଟିନ୍ ପରିଚାଳକ ଏବଂ ହଷ୍ଟେଲ୍ ୱାର୍ଡେନ୍‌ମାନଙ୍କ ସହ ଆଲୋଚନା କରି ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟାଭ୍ୟାସ ଗଢ଼ି ଉଠିବ ବୋଲି ଆଶା କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User