ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଜୁନାଗଡ଼ରେ ଭୁଶୁଡ଼ିଲା ଗଜଲକ୍ଷ୍ମୀ ପୂଜା ତୋରଣ, ଅନେକ ଗାଡ଼ି କ୍ଷତିଗ୍ରସ୍ତ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବଡ଼ପଡ଼ା ଛକ ନିକଟରେ ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଏକ ବିଶାଳ ଗଜଲକ୍ଷ୍ମୀ ପୂଜା ଗେଟ୍ ରାସ୍ତା ଉପରକୁ ଭୁଶୁଡ଼ି ପଡ଼ିଛି। ଭଙ୍ଗା ତୋରଣ ତଳେ ଚାପି ହୋଇ ଏକାଧିକ ଗାଡ଼ିମୋଟର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ରାସ୍ତା ସଫା କରିଛନ୍ତି।

କଳାହାଣ୍ଡି/ଜୁନାଗଡ଼: କଳିଙ୍ଗ ଦର୍ପଣ/ପୂର୍ଣେନ୍ଦୁ ମାଝୀ
ରାଜ୍ୟରେ ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ପ୍ରବଳ ପବନ ଯୋଗୁଁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଏକ ବଡ଼ ଅଘଟଣ ଘଟିଯାଇଛି। ସହରର ଜନଗହଳି ପୂର୍ଣ୍ଣ ବଡ଼ପଡ଼ା ଛକ ନିକଟରେ ନିର୍ମାଣ କରାଯାଇଥିବା ଏକ ବିଶାଳ ଗଜଲକ୍ଷ୍ମୀ ପୂଜା ଗେଟ୍ (ତୋରଣ) ହଠାତ୍ ରାସ୍ତା ଉପରକୁ ଭୁଶୁଡ଼ି ପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାତ୍ୟା ପବନର ବେଗକୁ ସମ୍ଭାଳି ନପାରି ଏହି ଅସ୍ଥାୟୀ ତୋରଣଟି ମୁଖ୍ୟ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଥିଲା। ସେହି ସମୟରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏବଂ ଯାତାୟାତ କରୁଥିବା ଅନେକ ଗାଡ଼ି ଏହି ବିଶାଳ ତୋରଣ ତଳେ ଚାପି ହୋଇଯାଇଥିଲା। ଫଳରେ ଗାଡ଼ିଗୁଡ଼ିକର ବ୍ୟାପକ କ୍ଷତି ଘଟିଛି। ସୌଭାଗ୍ୟବଶତଃ ଏହି ବଡ଼ ଧରଣର ଅଘଟଣରେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି, ତେବେ ତୋରଣଟି ରାସ୍ତା ଉପରେ ପଡ଼ିରହିବାରୁ ସେହି ବାଟ ଦେଇ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ଜୁନାଗଡ଼ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ କର୍ମଚାରୀମାନେ ଭଙ୍ଗା ତୋରଣର ଅଂଶବିଶେଷକୁ କାଟି ରାସ୍ତା ଉପରୁ ହଟାଇଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ରାସ୍ତା ଅବରୋଧ ମୁକ୍ତ ହୋଇଥିଲା ଏବଂ ସ୍ୱାଭାବିକ ଯାତାୟାତ ପୁନଃ ଆରମ୍ଭ ହୋଇଥିଲା। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ଅସ୍ଥାୟୀ ନିର୍ମାଣ ନିକଟରୁ ଦୂରେଇ ରହିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସତର୍କ କରାଯାଇଛି।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)