ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କଳାହାଣ୍ଡି ପ୍ରଶାସନର ଆଗୁଆ ପ୍ରସ୍ତୁତି: ୨୯ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
କଳାହାଣ୍ଡି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ତଥା ଧନଜୀବନର ସୁରକ୍ଷା ପାଇଁ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଭାସୀ (ଭର୍ଚୁଆଲ୍) ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅକ୍ଟୋବର ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ, ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତି ଏବଂ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

ଭବାନୀପାଟଣା, ୨୫ ଅକ୍ଟୋବର: କଲିଙ୍ଗ ଦର୍ପଣ, ରୋହିତ କୁମାର ନିଆଳ
ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା, ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ତଥା ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ନିମନ୍ତେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି (୨୪.୧୦.୨୦୨୬) ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିଭାଗ, ବ୍ଲକ୍ ପ୍ରଶାସନ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସମନ୍ୱିତ ଭାବେ ଆଗୁଆ ପ୍ରସ୍ତୁତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଆସନ୍ତା ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା, ବ୍ଲକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ ଅଧିକାରୀ ନିଜ ହେଡକ୍ୱାଟର୍ସରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ଏବଂ କେନ୍ଦ୍ରୀୟ ବନ୍ୟା ପୂର୍ବାନୁମାନ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାକୁ ତ୍ୱରିତ ପହଞ୍ଚାଇବା ପାଇଁ ମାଇକ୍ ଯୋଗେ ବ୍ୟାପକ ପ୍ରଚାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ୍) ଖୋଲିବା, ହେଲ୍ପଲାଇନ୍ ନମ୍ବର ଜାରି କରିବା ଏବଂ ରୋଷ୍ଟର ଡ୍ୟୁଟି ମାଧ୍ୟମରେ ପ୍ରଶିକ୍ଷିତ କର୍ମଚାରୀମାନଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ଜଳ ନିଷ୍କାସନ ପାଇଁ ନାଳ ନର୍ଦ୍ଦମା ସଫା କରିବା ଓ ବିପଦସଙ୍କୁଳ ରାସ୍ତା, ପୋଲ ଏବଂ କଲଭର୍ଟ ନିକଟରେ ଅସ୍ଥାୟୀ ବ୍ୟାରିକେଡ୍ ଲଗାଇ ଯାତାୟାତ ନିୟନ୍ତ୍ରଣ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଆଶ୍ରୟସ୍ଥଳୀ ପ୍ରସ୍ତୁତି ଦିଗରେ କେସିଙ୍ଗା ବ୍ଲକ୍ର ବେଲଖଣ୍ଡି, ଜୁନାଗଡ଼ର କୁଟେଗାଁ, କଲମପୁରର ବାଲିଛଡ଼ା ଏବଂ ଜୟପାଟଣା ବ୍ଲକ୍ର ରାସଡୁମେର ଠାରେ ଥିବା ବହୁମୁଖୀ ଆଶ୍ରୟ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ସଜାଗ ରଖାଯାଇଛି। ଏଠାରେ ପାନୀୟ ଜଳ, ଡିଜି ସେଟ୍, ଶୁଖିଲା ଖାଦ୍ୟ, ଗ୍ୟାସ୍ ଓ ଆବଶ୍ୟକୀୟ ଔଷଧର ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ତହସିଲ ଓ ମ୍ୟୁନିସିପାଲିଟିରେ ୧୭୬୬ ଗୋଟି ପଲିଥିନ୍ ମହଜୁଦ ରହିଛି। ଆଗାମୀ ତିନି ସପ୍ତାହ ମଧ୍ୟରେ ପ୍ରସବ ତାରିଖ ଥିବା ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ଚିହ୍ନଟ କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ PHC, CHC, SDH ଓ DHHରେ ଔଷଧ ଷ୍ଟକ୍ ରଖାଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବଲାଙ୍ଗିର ଜିଲ୍ଲାରୁ ଏକ ଓଡ୍ରାଫ୍ (ODRAF) ଦଳ କଳାହାଣ୍ଡିରେ ପହଞ୍ଚିବେ। ବନ୍ୟା ଓ ବାତ୍ୟା ପ୍ରଭାବରେ କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ତହସିଲଦାରମାନଙ୍କୁ କୁହାଯାଇଥିବା ବେଳେ ରାସନ ସାମଗ୍ରୀ ଉପଲବ୍ଧତା ନିଶ୍ଚିତ କରିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଉକ୍ତ ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ଧର୍ମଗଡ଼ ଓ ଭବାନୀପାଟଣା ଉପଜିଲ୍ଲାପାଳ, CDAO, CDVO, ମୁଖ୍ୟ CSO, R&B ଅଧିକ୍ଷଣ ଯନ୍ତ୍ରୀ, DDH, ଜଳସେଚନ ଓ ଉଠା ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ, CCE UIIP, CDMOଙ୍କ ସମେତ ସମସ୍ତ ତହସିଲଦାର ଓ ବିଡିଓ ଉପସ୍ଥିତ ଥିଲେ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)