ସ୍ୱାସ୍ଥ୍ୟ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ: ଭୁବନେଶ୍ୱରସ୍ଥିତ କିମ୍ସ (KIMS) ହସ୍ପିଟାଲକୁ ସୋ’କଜ୍ ନୋଟିସ୍
ଆୟୁଷ୍ମାନ ଭାରତ ପିଏମ୍-ଜେଏୱାଇ (PM-JAY) ଏବଂ ବିଏସକେୱାଇ (BSKY) ଭଳି ସରକାରୀ ସ୍ୱାସ୍ଥ୍ୟ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି (SHAS) ପକ୍ଷରୁ କିମ୍ସକୁ ଏକ ସୋ’କଜ୍ (କାରଣ ଦର୍ଶାଅ) ନୋଟିସ୍ ଜାରି କରାଯାଇ ୫ ଦିନ ମଧ୍ୟରେ ସ୍ପଷ୍ଟୀକରଣ ମଗାଯାଇଛି। ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର ଏବଂ ଓପିଡି (OPD) ରୋଗୀଙ୍କୁ ଆଇପିଡି (IPD) ଭାବେ ଦର୍ଶାଇ ଅତିରିକ୍ତ ଟଙ୍କା ଆଦାୟ କରିବା ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏଯାଏଁ କୌଣସି ନୋଟିସ୍ ମିଳିନଥିବା କିମ୍ସ କର୍ତ୍ତୃପକ୍ଷ କହିଛନ୍ତି।
ରିପୋର୍ଟ: ରୋହିତ କୁମାର ନିଆଲ
କଳିଙ୍ଗ ସମ୍ବାଦ, ଭୁବନେଶ୍ୱର:
ରାଜ୍ୟର ଅନ୍ୟତମ ପ୍ରମୁଖ ଘରୋଇ ଡାକ୍ତରଖାନା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ (KIMS) ବା କିମ୍ସ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଆୟୁଷ୍ମାନ ଭାରତ PM-JAY ଏବଂ ରାଜ୍ୟ ସରକାରଙ୍କ BSKY/GJAY ସ୍ୱାସ୍ଥ୍ୟ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି (SHAS) ପକ୍ଷରୁ ହସ୍ପିଟାଲକୁ ଏକ ସୋ’କଜ୍ (କାରଣ ଦର୍ଶାଅ) ନୋଟିସ୍ ଜାରି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ପ୍ରି-ଅଥରାଇଜେସନ୍ ପ୍ରକ୍ରିୟାରେ ଅନିୟମିତତା, ଅପ୍-କୋଡିଂ ଏବଂ ରୋଗୀଙ୍କ କ୍ଲିନିକାଲ୍ ରେକର୍ଡରେ ହେରଫେର ହୋଇଥିବା ଧରାପଡ଼ିଛି। ସବୁଠାରୁ ବଡ଼ ଅଭିଯୋଗ ହେଉଛି, କେବଳ ଓପିଡି (OPD) ବିଭାଗକୁ ପରାମର୍ଶ ପାଇଁ ଆସୁଥିବା ରୋଗୀମାନଙ୍କୁ ଆଇପିଡି (IPD) ଅର୍ଥାତ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦର୍ଶାଯାଇ ବିଲ୍ କରାଯାଇଛି। ଏହା ସହିତ ରୋଗୀଙ୍କଠାରୁ ବିଭିନ୍ନ ବାହାନାରେ ଅତିରିକ୍ତ ଅର୍ଥ ଆଦାୟ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଆଇସିୟୁ (ICU) ଆଡମିଶନ୍ ମାନଦଣ୍ଡ ଓ ସମ୍ପୃକ୍ତ ରେକର୍ଡରେ ମଧ୍ୟ ଅନେକ ଅସଙ୍ଗତି ରହିଥିବା ବିଭାଗ ଚିହ୍ନଟ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୋଟ ୬ ଜଣ ହିତାଧିକାରୀଙ୍କ ମାମଲାରେ ଏଭଳି ଗୁରୁତର ଅନିୟମିତତା କରାଯାଇଛି। ଏହିସବୁ ଅଭିଯୋଗକୁ ଭିତ୍ତି କରି SHAS ପକ୍ଷରୁ କିମ୍ସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ଏହି ସୋ’ କଜ୍ର ଉପଯୁକ୍ତ ଜବାବ ରଖିବାକୁ କୁହାଯାଇଛି। ନିୟମ ଉଲ୍ଲଙ୍ଘନ ପାଇଁ କାହିଁକି ହସ୍ପିଟାଲ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୌଣସି ସନ୍ତୋଷଜନକ ଉତ୍ତର ନ ମିଳେ, ତେବେ ହସ୍ପିଟାଲ ବିରୋଧରେ ନିୟମାନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ, ଏହି ବିବାଦ ସମ୍ପର୍କରେ କିମ୍ସ ହସ୍ପିଟାଲର ପିଆରଓ (PRO) ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସେମାନଙ୍କ ହସ୍ତଗତ କୌଣସି ସୋ’କଜ୍ ନୋଟିସ୍ ହୋଇନାହିଁ। ବିଧିବଦ୍ଧ ଭାବେ ନୋଟିସ୍ ପାଇବା ପରେ ହସ୍ପିଟାଲ ପକ୍ଷରୁ ସବିଶେଷ ତଥ୍ୟ ଅବଗତ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)