ସରକାରୀ ଆବାସ ଯୋଜନାରୁ ବଞ୍ଚିତ: ବର୍ଷାରେ ଭୁଶୁଡ଼ିଲା ମାଟି କାନ୍ଥ, ଭଙ୍ଗା ଘରେ ଖୋଲା ଆକାଶ ତଳେ ୨ ପରିବାରର ୧୦ ପ୍ରାଣୀ
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କରଞ୍ଜିଗୁଡ଼ା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଦୁଇଟି ଗରିବ ପରିବାରର କଚ୍ଚା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସରକାରୀ ଆବାସ ସୁବିଧାରୁ ବଞ୍ଚିତ ଥିବା ଏହି ଦୁଇ ପରିବାରର ୧୦ ଜଣ ସଦସ୍ୟ ଏବେ ବାସହରା ହୋଇ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରାଯାଇଛି।

ଜୟପାଟଣା, କଳିଙ୍ଗ ଦର୍ପଣ: ରିପୋର୍ଟ- ରଶ୍ମୀ ରଞ୍ଜନ ସୁନା
ସରକାର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇଦେବା ପାଇଁ ଅନେକ ଆବାସ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏବେ ବି ଏଥିରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର କରଞ୍ଜିଗୁଡ଼ା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷାର ପ୍ରକୋପ ସହି ନପାରି ଦୁଇଟି ପରିବାରର ମାଟି ଘର ହଠାତ୍ ଭୁଶୁଡ଼ି ପଡ଼ିବାରୁ ମୋଟ ୧୦ ଜଣ ସଦସ୍ୟ ବାସହରା ହୋଇପଡ଼ିଛନ୍ତି।

ସୂଚନା ଅନୁଯାୟୀ, କରଞ୍ଜିଗୁଡ଼ା ଗ୍ରାମର ଅଖୟ ଦୁର୍ଗା ଏବଂ ଭାଗ୍ୟବାନ ଦୁର୍ଗାଙ୍କ ପରିବାର ଦୀର୍ଘ ଦିନ ହେବ ସରକାରୀ ଆବାସ ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରିଥିଲେ। ମାତ୍ର ପ୍ରଶାସନିକ ଅଣଦେଖା କାରଣରୁ ସେମାନଙ୍କୁ ଯୋଜନାରେ ସାମିଲ କରାଯାଇ ନଥିଲା। ଫଳରେ ନିଜର ଦିନମଜୁରି ଓ କଷ୍ଟାର୍ଜିତ ଅର୍ଥରେ ସେମାନେ ଏକ କଚ୍ଚା ଘର ତିଆରି କରି ଦୁଇ ପରିବାର ମିଶି ମୁଣ୍ଡ ଗୁଞ୍ଜି ରହିଆସୁଥିଲେ।

ସାମ୍ପ୍ରତିକ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଦୁର୍ବଳ ହୋଇପଡ଼ିଥିଲା ଏବଂ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ ପରିବାରର କୌଣସି ସଦସ୍ୟଙ୍କ ଜୀବନହାନି ଘଟିନଥିଲେ ମଧ୍ୟ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଛାତ ଉଜୁଡ଼ି ଯିବା ପରେ ଛୋଟ ପିଲାଙ୍କ ସମେତ ଉଭୟ ପରିବାରର ୧୦ ଜଣ ସଦସ୍ୟ ଏବେ ଅସହାୟ ଅବସ୍ଥାରେ ଭଙ୍ଗା ଘର କୋଣରେ ପଲିଥିନ୍ ଟାଣି କାଳାତିପାତ କରୁଛନ୍ତି।

ବାରମ୍ବାର ଆବେଦନ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଆବାସ ନମିଳିବା ଏବଂ ଶେଷ ଆଶ୍ରୟସ୍ଥଳ ମଧ୍ୟ ଭାଙ୍ଗିଯିବା ଯୋଗୁଁ ପରିବାର ଲୋକେ ଗଭୀର ମାନସିକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରୁ ଏବଂ ଜରୁରୀକାଳୀନ ରିଲିଫ୍ ସହ ଏହି ଅସହାୟ ପରିବାରକୁ ପ୍ରଧାନମନ୍ତ୍ରୀ କିମ୍ବା ରାଜ୍ୟ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାର ଦୃଢ଼ ଦାବି କରିଛନ୍ତି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)