ଥୁଆମୂଳ ରାମପୁର କଲେଜରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟା ଆରମ୍ଭ: ପ୍ରାର୍ଥୀ ତାଲିକା ପ୍ରକାଶ, ମୌଳିକ ସୁବିଧା ଦାବିରେ ସ୍ୱର ଉଠାଇଲେ ଛାତ୍ରଛାତ୍ରୀ
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରଥମ ଥର ଲାଗି ଛାତ୍ର ସଂସଦ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଯାଞ୍ଚ ପରେ ପ୍ରାରମ୍ଭିକ ତାଲିକା ପ୍ରକାଶ ପାଇଛି। ତେବେ କଲେଜରେ ସ୍ଥାୟୀ କୋଠା, ଶୌଚାଳୟ ଓ ପାନୀୟ ଜଳ ଭଳି ସୁବିଧା ନଥିବାରୁ, ଆଗାମୀ ଦିନରେ ଏହି ମୌଳିକ ସମସ୍ୟାର ସମାଧାନ କରିବା ଉପରେ ଛାତ୍ର ନେତାମାନେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ ଲିଙ୍ଗଡୋ କମିଟିର ମାର୍ଗଦର୍ଶିକା ଅନୁଯାୟୀ ଥୁଆମୂଳ ରାମପୁର କଲେଜରେ ବିନା କୌଣସି ଦଳୀୟ ରାଜନୈତିକ ହସ୍ତକ୍ଷେପରେ ଛାତ୍ର ସଂସଦ ଚୟନ କରାଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ପ୍ରତ୍ୟକ୍ଷ ଭୋଟ୍ ପରିବର୍ତ୍ତେ ଚୟନ ପ୍ରକ୍ରିୟାକୁ ନେଇ କିଛି ମାତ୍ରାରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି। ପ୍ରଶାସନିକ ସ୍ତରରେ ଏହା ଉପରେ କଡ଼ା ନଜର ରଖାଯାଇଛି।
ଥୁଆମୂଳ ରାମପୁର, ୧୦/୧୦ (ସୁବାସ କୁମାର ନାଏକ): କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକସ୍ଥିତ ସରକାରୀ ସ୍ନାତକ (+୩) ମହାବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଛାତ୍ର ସଂସଦ ଓ ଅନ୍ୟାନ୍ୟ ସଂଗଠନର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ କଲେଜରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଶୁକ୍ରବାର ଦିନ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି (ନଂ. ୩୭୩) ଅନୁଯାୟୀ ନାମାଙ୍କନ ଯାଞ୍ଚ ପରେ ପ୍ରାରମ୍ଭିକ ତାଲିକା ଘୋଷଣା କରାଯାଇଛି।

ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ପଦବୀ ପାଇଁ ବସନ୍ତ ମାଝୀ, ଲୋକେଶ୍ୱର ନାଏକ, ଯଦୁମଣି ନାଏକ, ଗିରିଜା ବାଗ୍ ଏବଂ ଯଶକେତନ ନାଏକ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ସଭାପତି ପଦବୀ ପାଇଁ ନୁରୀତା ବାଗ୍, ପ୍ରିୟତମା ନାଏକ ଓ ରିଙ୍କି ନାଏକ ମଧ୍ୟ ଆବେଦନ କରିଛନ୍ତି। ସେହିପରି ସାଧାରଣ ସମ୍ପାଦକ ପାଇଁ ମାଧବୀ ମାଝୀ, ପ୍ରମୋଦ କୁମାର ମାଝୀ ଓ ଭାଗ୍ୟବତୀ ନାଏକ, ନାଟକ ସଂସଦ ସମ୍ପାଦକ ପାଇଁ ରିତୁମ୍ବରା ନାଏକ ଓ ରଞ୍ଜିତା ନାଏକ ଏବଂ କ୍ରୀଡ଼ା ସଂସଦ ସମ୍ପାଦକ ପାଇଁ ଡିମ୍ପଲ୍ ନାଏକ ଓ ଦୀପକ ନାଏକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଚୟନ କାର୍ଯ୍ୟସୂଚୀ:
ଶନିବାର ସକାଳ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୧୫ ତାରିଖରେ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକଙ୍କୁ ନେଇ ଚୟନ ପ୍ରକ୍ରିୟା ଏବଂ ଫଳାଫଳ ଘୋଷଣା କରାଯିବ। ୧୬ ତାରିଖରେ ନବନିର୍ବାଚିତ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଅବଶ୍ୟ ପ୍ରତ୍ୟକ୍ଷ ଭୋଟ୍ ପରିବର୍ତ୍ତେ ଚୟନ ପ୍ରକ୍ରିୟାକୁ ନେଇ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
ମୌଳିକ ସମସ୍ୟା ଉପରେ ଫୋକସ୍:
କଲେଜରେ ପ୍ରାୟ ୨୮୦ ରୁ ୩୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜସ୍ୱ ସ୍ଥାୟୀ କୋଠା କିମ୍ବା କ୍ୟାମ୍ପସ ନାହିଁ। ଗୋଟିଏ ଶ୍ରେଣୀଗୃହରେ ତିନୋଟି ବିଭାଗର ପାଠପଢ଼ା ଚାଲିଛି। ବିଶେଷକରି ଛାତ୍ରୀମାନଙ୍କ ପାଇଁ ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳର ସୁବିଧା ନଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସଭାପତି ପ୍ରାର୍ଥୀ ଗିରିଜା ବାଗ୍, ଲୋକେଶ୍ୱର ନାଏକ, ସମ୍ପାଦକ ପ୍ରାର୍ଥୀ ମାଧବୀ ମାଝୀ ଏବଂ ତୃତୀୟ ବର୍ଷର ଛାତ୍ର ଚନ୍ଦନ କୁମାର ନାଏକ ପ୍ରମୁଖ କଲେଜର ମୌଳିକ ଢାଞ୍ଚା ବିକାଶକୁ ନିଜର ମୁଖ୍ୟ ପ୍ରାଥମିକତା ବୋଲି ଦର୍ଶାଇଛନ୍ତି।
ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ଇନ୍ଚାର୍ଜ ସର୍ବେଶ୍ୱର ଉଠାନ ସିଂହ ସ୍ପଷ୍ଟ କରିଛନ୍ତି ଯେ, କଲେଜରେ ଦଳୀୟ ରାଜନୀତିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୋଲିସ, ଏସ୍ପି ଏବଂ ଜିଲ୍ଲାପାଳଙ୍କ ସ୍ତରରୁ ସମଗ୍ର ପ୍ରକ୍ରିୟାର ଅନଲାଇନ୍ ମନିଟରିଂ କରାଯାଉଛି। ନୂତନ ଛାତ୍ର ପ୍ରତିନିଧିମାନେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି କଲେଜର ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)