ଜୁନାଗଡ଼ରେ ସ୍ୱାୟତ୍ତ ଶାସନ ଦିବସ: ସହରକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ରଖିବା ପାଇଁ ଏନଏଏସି ପକ୍ଷରୁ ନାଗରିକଙ୍କୁ ନିବେଦନ
ପବିତ୍ର ସ୍ୱାୟତ୍ତ ଶାସନ ଦିବସ (୩୧.୦୮.୨୦୨୬) ଉପଲକ୍ଷେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏଏସି) ପକ୍ଷରୁ ସହରବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଏକ ୮-ଦଫିଆ ମାର୍ଗଦର୍ଶିକା ଜାରି କରାଯାଇଛି। ସହରର ବିକାଶ, ପରିମଳ ବ୍ୟବସ୍ଥାରେ ସୁଧାର, ପଲିଥିନ ବର୍ଜନ ଏବଂ ଉନ୍ନୟନମୂଳକ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପାରିଷଦ ବୃନ୍ଦ।
ଜୁନାଗଡ଼, ୩୦ ଅଗଷ୍ଟ (ପୂର୍ଣେନ୍ଦୁ କୁମାର ମାଝୀ, କଳିଙ୍ଗ ସମ୍ବାଦ):
ଆସନ୍ତାକାଲି (୩୧ ଅଗଷ୍ଟ) ପବିତ୍ର ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏଏସି) ପକ୍ଷରୁ ସମସ୍ତ ନଗରବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଇଷ୍ଟଦେବୀ ମା’ ଲଙ୍କେଶ୍ୱରୀଙ୍କ କୃପାରୁ ସମସ୍ତ ସହରବାସୀଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ପରିଷଦ ପକ୍ଷରୁ ପ୍ରାର୍ଥନା କରାଯାଇଛି। ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ସହରକୁ ଏକ ସ୍ୱଚ୍ଛ, ସୁନ୍ଦର ତଥା ଆଦର୍ଶ ସହରରେ ପରିଣତ କରିବା ପାଇଁ ଏନଏଏସି ଅଧ୍ୟକ୍ଷା ଶ୍ରୀମତୀ ହିମାଦ୍ରୀ ନାଏକ ଏବଂ ନିର୍ବାହୀ ଅଧିକାରୀ (ଓ.ଆର.ଏସ) ଶ୍ରୀ ପ୍ରମୋଦ କୁମାର ଖିଲୋ ସହରବାସୀଙ୍କୁ ବିନମ୍ର ନିବେଦନ କରିଛନ୍ତି। ପ୍ରଶାସନ ପକ୍ଷରୁ ନାଗରିକମାନଙ୍କ ପାଇଁ ୮ଟି ପ୍ରମୁଖ ବିଷୟ ପ୍ରତି ଆନ୍ତରିକ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି:
୧. ପରିବେଶ ସ୍ୱଚ୍ଛତା: ନିଜ ପରିବେଶକୁ ସଫା ରଖିବା ସହ ସହରକୁ ପରିଷ୍କାର ରଖିବା ଦିଗରେ ପରିଷଦକୁ ସହଯୋଗ କରନ୍ତୁ।
୨. ଆବର୍ଜନା ପରିଚାଳନା: ଅଳିଆ ଆବର୍ଜନାକୁ ନାଳୀ କିମ୍ବା ନର୍ଦ୍ଦମାରେ ନପକାଇ କେବଳ ଉଦ୍ଦିଷ୍ଟ ଭ୍ରାମ୍ୟମାଣ ଆବର୍ଜନା ସଂଗ୍ରହ ଗାଡ଼ିରେ ହିଁ ପକାନ୍ତୁ।
୩. ବେଆଇନ ନିର୍ମାଣ ମନା: ପରିଷଦର ବିନା ଅନୁମତିରେ କୌଣସି ପ୍ରକାରର ଗୃହ ନିର୍ମାଣ କରନ୍ତୁ ନାହିଁ।
୪. ରାସ୍ତା ଅବରୋଧ ମୁକ୍ତ: ଗୃହ ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ରଖନ୍ତୁ ନାହିଁ ଏବଂ ସର୍ବସାଧାରଣ ରାସ୍ତାକୁ ଅବରୋଧ କରନ୍ତୁ ନାହିଁ।
୫. ପଲିଥିନ୍ ବ୍ୟାନ୍: ଏକକ ବ୍ୟବହାର୍ଯ୍ୟ (Single-use) ପଲିଥିନ୍ ବ୍ୟାଗ୍ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ତେଣୁ ଏହାର ବ୍ୟବହାରରୁ ସମ୍ପୂର୍ଣ୍ଣ ନିବୃତ୍ତ ରୁହନ୍ତୁ।
୬. ଟିକସ ପୈଠ: ଠିକ୍ ସମୟରେ ପରିଷଦର ଟିକସ ଏବଂ ଅନ୍ୟାନ୍ୟ ଦେୟ ପୈଠ କରି ସହରର ଉନ୍ନୟନମୂଳକ କାର୍ଯ୍ୟରେ ନିଜର ବହୁମୂଲ୍ୟ ଯୋଗଦାନ ଦିଅନ୍ତୁ।
୭. ରୋଗ ନିରାକରଣ: ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗକୁ ରୋକିବା ପାଇଁ ନିଜ ଘର ଚାରିପାଖରେ, ପୁରୁଣା ଟାୟାର କିମ୍ବା ଅନ୍ୟ କୌଣସି ପାତ୍ରରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ।
୮. ବୁଲା ପଶୁ ନିୟନ୍ତ୍ରଣ: ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଗାଈଗୋରୁ କିମ୍ବା ଅନ୍ୟ ଗୃହପାଳିତ ପଶୁମାନଙ୍କୁ ମୁକୁଳା ଛାଡ଼ନ୍ତୁ ନାହିଁ।
ଏହି ସଚେତନତା ବାର୍ତ୍ତାରେ ପରିଷଦର ସମସ୍ତ ୱାର୍ଡର ପାରିଷଦ ବୃନ୍ଦ ଯଥା- ୱାର୍ଡ ନଂ ୧ ରୁ ଶ୍ରୀ ଗୋପାଳ ଚନ୍ଦନ, ୱାର୍ଡ ନଂ ୨ ରୁ ଶ୍ରୀ ସଚିନ ଅନ୍ଦାନୀ, ୱାର୍ଡ ନଂ ୩ ରୁ ଶ୍ରୀ କାହ୍ନୁ ଚରଣ ବୈଠାରୁ, ୱାର୍ଡ ନଂ ୪ ରୁ ଶ୍ରୀମତୀ ହିମାଦ୍ରୀ ସିନ୍ଦୁର, ୱାର୍ଡ ନଂ ୫ ରୁ ଶ୍ରୀମତୀ ପୁଷ୍ପାଞ୍ଜଳି ଦଣ୍ଡସେନା, ୱାର୍ଡ ନଂ ୬ ରୁ ଶ୍ରୀମତୀ ମାଧବୀ ବାଗ, ୱାର୍ଡ ନଂ ୭ ରୁ ଶ୍ରୀମତୀ ମଞ୍ଜୁଲତା ସେଠି, ୱାର୍ଡ ନଂ ୮ ରୁ ଶ୍ରୀମତୀ କୁର୍ନି ଶବର, ୱାର୍ଡ ନଂ ୯ ରୁ ଶ୍ରୀ ଭୂପେନ୍ଦ୍ର ଦଣ୍ଡସେନା, ୱାର୍ଡ ନଂ ୧୧ ରୁ ଶ୍ରୀମତୀ ମିନତୀ ମାଝୀ ଏବଂ ୱାର୍ଡ ନଂ ୧୨ ରୁ ଶ୍ରୀ ଚକ୍ର ବାଗ ପ୍ରମୁଖ ସାମିଲ ହୋଇ ଜୁନାଗଡ଼ ସହରକୁ ଏକ ଆଦର୍ଶ ଏବଂ ସମୃଦ୍ଧ ସହର ଭାବେ ଗଢ଼ି ତୋଳିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)