ପୂର୍ବତନ ସରପଞ୍ଚ ତଥା ଟାଣୁଆ ସଂଗଠକ ଶିବ ପ୍ରସାଦ ଭୋଇଙ୍କ ହୃଦଘାତରେ ପରଲୋକ: ଅଞ୍ଚଳରେ ଶୋକର ଛାୟା
ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ, ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ପୂର୍ବତନ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶିବ ପ୍ରସାଦ ଭୋଇଙ୍କର ୬୩ ବର୍ଷ ବୟସରେ ହୃଦଘାତ ଯୋଗୁଁ ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। କନକପୁର ସ୍ଥିତ ବାସଭବନରେ ବରିଷ୍ଠ ସଂଗଠକ ଶିବ ପ୍ରସାଦ ଭୋଇଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ଗ୍ରାମବାସୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଜୁନାଗଡ଼: କଳିଙ୍ଗ ସମ୍ବାଦ
ରିପୋର୍ଟ: ପୁର୍ନେନ୍ଦୁ କୁମାର ମାଝୀ
ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ପୂର୍ବତନ ସଭାପତି ଶିବ ପ୍ରସାଦ ଭୋଇଙ୍କର କନକପୁର ସ୍ଥିତ ନିଜ ବାସଭବନରେ ହୃଦଘାତ ଯୋଗୁଁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।
ସ୍ୱର୍ଗତ ଭୋଇ ଜଣେ ଦକ୍ଷ ସଂଗଠକ ତଥା ଜନପ୍ରିୟ ସମାଜସେବୀ ଭାବେ ସାରା ଜିଲ୍ଲାରେ ପରିଚିତ ଥିଲେ। ସେ ରାଜପୁର ପଞ୍ଚାୟତରେ ଦୀର୍ଘ ୧୦ ବର୍ଷ ଧରି ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇବା ସହିତ ଜୁନାଗଡ଼ ସରପଞ୍ଚ ସଂଘ, ଜିଲ୍ଲା ସରପଞ୍ଚ ସଂଘ ଏବଂ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ସଭାପତି ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ଦିନରାତି ସବୁ ସମୟରେ ଗ୍ରାମାଞ୍ଚଳ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସେ ଅଞ୍ଚଳରେ ଲୋକପ୍ରିୟତା ହାସଲ କରିଥିଲେ।
ଏହା ବ୍ୟତୀତ ସେ କରଲାପାଟ ପଣ୍ଡରାମାଳି ସମାଜର ପୂର୍ବତନ ସମ୍ପାଦକ, ପଣ୍ଡରାମାଳୀ ଯୁବ ବାହିନୀର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ଉପସଭାପତି ଭାବେ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଈଶ୍ୱର ପୂଝାରୀ ଏବଂ ଆଇନ ପରାମର୍ଶଦାତା ତଥା ପୂର୍ବତନ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ ପ୍ରମୁଖ ପ୍ରକାଶ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ତାଙ୍କ ଦେହାନ୍ତ ଖବର ପାଇ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, ସାମ୍ବାଦିକ ସଂଘ ସଭାପତି ସନ୍ତୋଷ ସିଂ ଦେଓ ଏବଂ ଓକିଲ ସଂଘ ସଭାପତି ହିମାଂଶୁ ବରାଡ଼ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଶେଷ ଦର୍ଶନ ପାଇଁ ବାସଭବନରେ ଶତାଧିକ ନେତୃସ୍ଥାନୀୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଶବ ସତ୍କାର ସମୟରେ ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ଜୁନାଗଡ଼ ବ୍ଲକ ସଭାପତି ବାଲ୍ମୀକି ନାଏକ, ପୂର୍ବତନ ଜିଲ୍ଲା ଉପସଭାପତି ଲକ୍ଷ୍ମଣ ନାଏକ, ପୂର୍ବତନ ସମ୍ପାଦକ କନ୍ଦର୍ପ ନାଏକ, ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଅନ୍ତିମ ବିଦାୟ ଜଣାଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଜୁନାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)