ସେବା ସଂକଳ୍ପ ଅଭିଯାନ
*ସେବା ସଂକଳ୍ପ ଅଭିଯାନରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ*
*କଳାହାଣ୍ଡିର ୧୩ ବ୍ଲକ୍ରେ ୩୦୭ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ*
କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା)ଭବାନୀପାଟଣା, ୬/୧୦: ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ‘ନମୋ ସେବା ଗାଥା’ ଅନ୍ତର୍ଗତ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ଲୋକଙ୍କ ନିକଟରେ ସରକାରୀ ସେବା ଓ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚାଇବା, ଜନସହଭାଗିତା ବୃଦ୍ଧି କରିବା ଏବଂ ସେବାକୁ ଏକ ସାମୂହିକ ଆନ୍ଦୋଳନର ରୂପ ଦେବା ଉଦ୍ଦେଶ୍ୟରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି।
ଏହି ଅଭିଯାନ ଅନ୍ତର୍ଗତ ଗତ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଜିଲ୍ଲାର ୧୩ଟି ବ୍ଲକ୍ର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ଥାନୀୟ କଳାକାର ଓ ସାଂସ୍କୃତିକ ଦଳଙ୍କ ଦ୍ୱାରା ମୋଟ ୩୦୭ଟି ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଛି। ଏଥିରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ ପଦକ୍ଷେପର ସଫଳତାକୁ କଳା ଓ ନାଟକ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଯାଇଛି।
ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆସିଥିବା ଏକ ପଥପ୍ରାନ୍ତ ନାଟକ ଦଳ ମଧ୍ୟ ନାଟକ ପ୍ରଦର୍ଶନ କରିଥିଲେ। ନାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଓ ଯୋଜନାକୁ ଉପସ୍ଥାପନ କରାଯାଇଥିଲା। ସ୍ୱଚ୍ଛ ଭାରତ, ବିଦେଶୀ ପୁଞ୍ଜିନିବେଶ, ଡିଜିଟାଲ ଶିକ୍ଷା, ସୌର ଶକ୍ତି, ଆୟୁଷ୍ମାନ ଭାରତ, ଗ୍ରାମୀଣ ବିଦ୍ୟୁତୀକରଣ, ଗମନାଗମନ, ସଡ଼କ, ଜଳସେଚନ, କୃଷି, ‘ଅପରେସନ ସିନ୍ଦୂର’, ଇଣ୍ଟରନେଟ ଓ ଯୋଗାଯୋଗ, ଡିବିଟି, ୟୁପିଆଇ ଏବଂ ପ୍ରତିରକ୍ଷା ଉତ୍ପାଦନ ଆଦି ବିଷୟକୁ ନାଟକ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସିଆରପିଏଫ୍ର ଡେପୁଟି କମାଣ୍ଡାଣ୍ଟ ଏସ୍. ପାତ୍ର, ସାଂସଦ ପ୍ରତିନିଧି ସନ୍ତୋଷ ବିଶି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଉପନିର୍ଦ୍ଦେଶକ ଯୋଜନା ଓ ସମନ୍ୱୟ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁର ଓ ଡିପିଇଓ ରୂପ ସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସହରର ବୁଦ୍ଧିଜୀବୀ ଓ ନାଟକପ୍ରେମୀ ଦର୍ଶକ ଉପସ୍ଥିତ ରହି ନାଟକ ପ୍ରଦର୍ଶନ ଉପଭୋଗ


କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)