୬ ଲେନ୍ ହେବ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ! ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର (NH-55) ସମ୍ପ୍ରସାରଣ ପାଇଁ ଦାବି ଜୋର୍ ଧରିଛି। ଏହି ପ୍ରମୁଖ ରାଜପଥକୁ ୬-ଲେନ୍ ବିଶିଷ୍ଟ କରିବା ସହିତ ସମ୍ବଲପୁର ସିଟି ଷ୍ଟେସନ୍ ଛକରେ ଫ୍ଲାଏଓଭର ଏବଂ ୪ଟି ଅଣ୍ଡରପାସ୍ ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
(କଳିଙ୍ଗ ଦର୍ପଣ ବ୍ୟୁରୋ): ରାଜ୍ୟର ଶିଳ୍ପ ଏବଂ ବାଣିଜ୍ୟିକ ବିକାଶ କ୍ଷେତ୍ରରେ ଲାଇଫ୍ ଲାଇନ୍ କୁହାଯାଉଥିବା ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର (NH-55) ରୂପରେଖ ଖୁବଶୀଘ୍ର ବଦଳିପାରେ। ବଢ଼ୁଥିବା ଟ୍ରାଫିକ୍ ସମସ୍ୟା ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ୬ ଲେନ୍ ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ପତ୍ର ଲେଖିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଲେଖିଥିବା ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର-ଅନୁଗୋଳ-କଟକ କରିଡର ପଶ୍ଚିମ ଓଡ଼ିଶା ତଥା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ରାଜପଥ ହେଉଛି ରାଜ୍ୟର ଏକ ପ୍ରମୁଖ କରିଡର୍, ଯାହା ଓଡ଼ିଶାର ବିଭିନ୍ନ ବୃହତ୍ ଶିଳ୍ପ, ବାଣିଜ୍ୟିକ କେନ୍ଦ୍ର ଏବଂ ପ୍ରମୁଖ ସହରାଞ୍ଚଳଗୁଡ଼ିକୁ ପରସ୍ପର ସହ ଯୋଡ଼ୁଛି। ସାମ୍ପ୍ରତିକ ସମୟରେ ଏଠାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବହୁ ମାତ୍ରାରେ ବୃଦ୍ଧି ପାଇଛି। ଯାହା ଫଳରେ ସାଧାରଣ ଯାତାୟାତ ପ୍ରଭାବିତ ହେବା ସହ ବିକାଶର ବେଗ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଏହି ଜାତୀୟ ରାଜପଥକୁ ୬ ଲେନ୍କୁ ଉନ୍ନୀତ କରିବାର ନିତାନ୍ତ ଆବଶ୍ୟକତା ରହିଛି।

ଏଥିସହିତ ସମ୍ବଲପୁର ସହରର ଟ୍ରାଫିକ୍ ସମସ୍ୟାକୁ ସୁଗମ କରିବା ପାଇଁ ସେ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଦେଇଛନ୍ତି। ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ଏକ ନୂତନ ଫ୍ଲାଏଓଭର ସମେତ ରାଜପଥରେ ସୁବିଧାଜନକ ଯାତାୟାତ ପାଇଁ ୪ଟି ଅଣ୍ଡରପାସ୍ ନିର୍ମାଣ କରିବାକୁ ଶ୍ରୀ ପ୍ରଧାନ ନିଜ ପତ୍ରରେ ଅନୁରୋଧ କରିଛନ୍ତି।
ଶେଷରେ ସେ ଦର୍ଶାଇଛନ୍ତି ଯେ, ଏହି ରାଜପଥର ସମ୍ପ୍ରସାରଣ ଏବଂ ଭିତ୍ତିଭୂମିର ବିକାଶ ହେଲେ ଯାତାୟାତ ସୁଗମ ହେବ। ଏହାଦ୍ୱାରା କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ସମଗ୍ର ଓଡ଼ିଶାର ଶିଳ୍ପ ପ୍ରସାର ଏବଂ ଆର୍ଥିକ ବିକାଶ ବହୁଗୁଣିତ ହୋଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।


What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)