କଳାହାଣ୍ଡି ଜିଲ୍ଲାରେ ଗଡ଼ିଲା ସୋଲାର ରଥ
*କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍ର ‘ସୋଲାର ରଥ’*



*ପିଏମ୍ ସୂର୍ଯ୍ୟ ଘର ଯୋଜନା ନେଇ ଜନସଚେତନତା ଅଭିଯାନ ଆରମ୍ଭ*
କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା), ଭବାନୀପାଟଣା, ୨୯/୦୯: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ରୁଫ୍ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ କଳାହାଣ୍ଡିରେ ‘ସୋଲାର ରଥ’ ମାଧ୍ୟମରେ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି।
ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ସବୁଜ ପତାକା ଦେଖାଇ ‘ସୋଲାର ରଥ’ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ସହକାରୀ ନିର୍ଦ୍ଦେଶକ, ଆର୍ଥିକ ସେବା ବିଭାଗର ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରଥମେ ସମ୍ବଲପୁରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ‘ସୋଲାର ରଥ’ର ଶୁଭ ଉଦ୍ଘାଟନ କରିଥିଲେ। ପରେ ବରଗଡ଼, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲା ପରିକ୍ରମା କରିବା ପରେ ଏବେ ଏହି ସଚେତନତା ରଥ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଛି।
‘ସୋଲାର ରଥ’ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ରୁଫ୍ଟପ୍ ସୋଲାର ଏବଂ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଓ ସଚେତନତା ପ୍ରଦାନ କରାଯିବ। ଏହା ମାଧ୍ୟମରେ ଯୋଜନାର ସୁବିଧା ସମ୍ପର୍କରେ ଲୋକଙ୍କ ନିକଟରେ ସୂଚନା ପହଞ୍ଚିବା ସହ ରୁଫ୍ଟପ୍ ସୋଲାର ଗ୍ରହଣ ପାଇଁ ଅଧିକ ଲୋକ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)