ବେଆଇନ ମଦ ବିକ୍ରି ବନ୍ଦ ସହ ନିଶାମୁକ୍ତ ଅଞ୍ଚଳ ଦାବିରେ ଜୁନାଗଡ଼ରେ ଗର୍ଜିଲେ ମହିଳା: ଉତ୍କଳ ମହିଳା ସମିତିର ବିଶାଳ ବିକ୍ଷୋଭ

ଜୁନାଗଡ଼ ଅଞ୍ଚଳରେ ଚାଲିଥିବା ବେଆଇନ ମଦ କାରବାର ଉପରେ ତୁରନ୍ତ ରୋକ ଲଗାଇବା ଏବଂ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ଘୋଷଣା କରିବା ଦାବିରେ ଉତ୍କଳ ମହିଳା ସମିତି ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇବା ସହ ବିଡିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

Sep 25, 2026 - 13:36
Updated: 1 month ago
0 156
ବେଆଇନ ମଦ ବିକ୍ରି ବନ୍ଦ ସହ ନିଶାମୁକ୍ତ ଅଞ୍ଚଳ ଦାବିରେ ଜୁନାଗଡ଼ରେ ଗର୍ଜିଲେ ମହିଳା: ଉତ୍କଳ ମହିଳା ସମିତିର ବିଶାଳ ବିକ୍ଷୋଭ

ଜୁନାଗଡ଼ (ପୂର୍ନେନ୍ଦୁ କୁମାର ମାଝୀ/କଳିଙ୍ଗ ଦର୍ପଣ): ନିଶା କାରବାର ଯୋଗୁଁ ସମାଜ ଓ ପରିବାର ଉପରେ ପଡୁଥିବା କୁପ୍ରଭାବକୁ ବିରୋଧ କରି ଏବେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା। ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ମଦ ବିକ୍ରିକୁ ତୁରନ୍ତ ବନ୍ଦ କରିବା ସହ ସମଗ୍ର ଜୁନାଗଡ଼କୁ ଏକ ନିଶାମୁକ୍ତ ଅଞ୍ଚଳ ଭାବେ ଗଢ଼ି ତୋଳିବା ଦାବିରେ ଗୁରୁବାର (ତା ୨୪/୦୯/୨୦୨୬ ରିଖ) ଉତ୍କଳ ମହିଳା ସମିତି ପକ୍ଷରୁ ଜୁନାଗଡ଼ଠାରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମିତିର ଆହ୍ୱାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ମହିଳା ଏକତ୍ରିତ ହୋଇ ବେଆଇନ ନିଶା କାରବାର ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଛନ୍ତି।

ଏହି ଅବସରରେ ଜୁନାଗଡ଼ ଡାକବଙ୍ଗଳା ଛକରୁ ଆନ୍ଦୋଳନକାରୀ ମହିଳାମାନଙ୍କର ଏକ ବିଶାଳ ରାଲି ବାହାରିଥିଲା। ଏହି ରାଲି ସହରର ବିଭିନ୍ନ ଛକ ଓ ବଜାର ପରିକ୍ରମା କରିବା ପରେ ଜୁନାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏକ ସଭାରେ ପରିଣତ ହୋଇଥିଲା। ରାଲିରେ ସାମିଲ ହୋଇଥିବା ମହିଳାମାନେ ଅଞ୍ଚଳରେ ବେଆଇନ ମଦ ବିକ୍ରି ବନ୍ଦ କରିବା ଏବଂ ନିଶା କାରବାର ଉପରେ କଠୋର ନିୟନ୍ତ୍ରଣ ଆଣିବା ନେଇ ସ୍ଲୋଗାନମାନ ଦେଇଥିଲେ।

ପରବର୍ତ୍ତୀ ସମୟରେ ଉତ୍କଳ ମହିଳା ସମିତିର ଏକ ପ୍ରତିନିଧି ଦଳ ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO)ଙ୍କୁ ଭେଟିଥିଲେ। ବିଡିଓଙ୍କ ଜରିଆରେ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ସ୍ମାରକପତ୍ରରେ ବେଆଇନ ମଦ ବିକ୍ରି ଉପରେ ତୁରନ୍ତ ପ୍ରଶାସନିକ ରୋକ ଲଗାଇବା, ନିଶାଦ୍ରବ୍ୟର ପ୍ରସାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଏକ ସୁସ୍ଥ ତଥା ନିଶାମୁକ୍ତ ସମାଜ ଗଠନ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସିପିଆଇ (ଭାରତୀୟ କମ୍ୟୁନିଷ୍ଟ ପାର୍ଟି)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ଦାମୋଦର ବେହେରା ଏବଂ ଏଆଇୱାଇଏଫ୍ (ଅଖିଳ ଭାରତ ଯୁବ ସଂଘ)ର କଳାହାଣ୍ଡି ଜିଲ୍ଲା ସଭାପତି ହିମାଂଶୁ ଶେଖର ନାଏକ ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ଏହି ନ୍ୟାଯ୍ୟ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ଆବାହିକା ରାଣୀମତି ଛତ୍ରିଆ, ମନୋରମା ମହାଳିକ, ଲଳିତା ରଣା, ଅମ୍ବିକା ବାଗ, ସରୋଜିନୀ କାଣ୍ଡ, କୁମୁଦିନୀ ପ୍ରଧାନ ଓ ମୀନା ବାଗଙ୍କ ସମେତ ଉତ୍କଳ ମହିଳା ସମିତିର ବହୁ ସଦସ୍ୟା ଓ ସ୍ଥାନୀୟ ମହିଳାମାନେ ଉପସ୍ଥିତ ଥିଲେ।

ବକ୍ତାମାନେ ଗଭୀର ଉଦବେଗ ପ୍ରକାଶ କରି କହିଥିଲେ ଯେ, ଗାଁ ଗହଳିରେ ବେରୋକଟୋକ ଚାଲିଥିବା ନିଶା କାରବାର ଯୋଗୁଁ ଅନେକ ପରିବାର ଉଜୁଡ଼ି ଯାଉଛି ଏବଂ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ତେଣୁ ଏହି ବେଆଇନ ମଦ ବିକ୍ରି ଉପରେ ସ୍ଥାନୀୟ ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ କଡ଼ା ନଜର ରଖାଯିବା ଆବଶ୍ୟକ। ସମାଜକୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସ ଜରୁରୀ ବୋଲି ମତପ୍ରକାଶ ପାଇଥିଲା। ତୁରନ୍ତ ସରକାର ଏହି ଦାବି ଉପରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User