କେନ୍ଦୁଝର ଜିଲ୍ଲା ଖାଳିଆ ମେଣ୍ଟା ରେ ଅତ୍ୟାଧୁନିକ କୁକୁଡ଼ା ଫାର୍ମ ଯୋଗୁଁ ସ୍ୱାବଲମ୍ବୀ ହେଲେ ଅନେକ ପରିବାର
: କେନ୍ଦୁଝରରେ ଅତ୍ୟାଧୁନିକ କୁକୁଡ଼ା ଫାର୍ମ: ୨୨ ହଜାର କୁକୁଡ଼ା ଥିଲେ ବି ନାହିଁ ଦୁର୍ଗନ୍ଧ, ସୃଷ୍ଟି ହେଉଛି ରୋଜଗାରର ନୂଆ ଦିଗ
(କଲିଙ୍ଗ ଦର୍ପଣ, ସତ୍ୟ ଦାସ/ କେନ୍ଦୁଝର, ଘସିପୁରା)
ସାଧାରଣତଃ କୁକୁଡ଼ା ଫାର୍ମ କହିଲେ ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶର ଚିତ୍ର ଆଖି ଆଗକୁ ଆସିଥାଏ, ଯେଉଁଥିପାଇଁ ଅନେକ ସମୟରେ ବିବାଦ ମଧ୍ୟ ଦେଖାଦିଏ। ମାତ୍ର କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ 'ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା' ସହାୟତାରେ ଏକ ଏଭଳି ଅତ୍ୟାଧୁନିକ କୁକୁଡ଼ା ଫାର୍ମ ପ୍ରତିଷ୍ଠା କରାଯାଇଛି, ଯାହା ପରିବେଶ ପ୍ରଦୂଷଣର ଭ୍ରାନ୍ତ ଧାରଣାକୁ ଭୁଲ୍ ପ୍ରମାଣିତ କରିଛି। ଏହି ଫାର୍ମରେ ଏକାସାଙ୍ଗରେ ୨୨,୦୦୦ ବ୍ରଏଲର କୁକୁଡ଼ା ପାଳନ କରାଯାଉଥିଲେ ସୁଦ୍ଧା ଆଖପାଖ ପରିବେଶରେ ଟିକିଏ ବି ଦୁର୍ଗନ୍ଧ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ଏକ 'ବାୟୋ-ସିକ୍ୟୋର' ବା ଜୀବାଣୁମୁକ୍ତ ସିଷ୍ଟମରେ ପରିଚାଳିତ ହେଉଛି।
ଗ୍ରାମାଞ୍ଚଳରେ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଏହି ସ୍ୱତନ୍ତ୍ର ସ୍ୱରୋଜଗାର ଯୋଜନା ଅଧୀନରେ ୟୁକୋ (UCO) ବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୯ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି। ସ୍ଥାନୀୟ ବାସିନ୍ଦା ମହାରଣା ବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଫାର୍ମଟି ସମ୍ପୂର୍ଣ୍ଣ ଭାବେ ହାଇଟେକ୍ 'କ୍ଲୋଜ୍ଡ ସେଡ୍' (Closed Shed) ବା ଏସି (AC) ବ୍ୟବସ୍ଥାରେ ପରିଚାଳିତ। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗୁଁ ଫାର୍ମ ଭିତରେ କିମ୍ବା ବାହାରେ କୌଣସି ପ୍ରକାର ଖରାପ ଗନ୍ଧ ବାରି ହେଉନାହିଁ ବୋଲି ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ କର୍ମଚାରୀମାନେ ପ୍ରକାଶ କରିଛନ୍ତି।
ଆଇବି (IB) ଗ୍ରୁପ୍ ର ସହଯୋଗ ଓ ରୋଗ ନିୟନ୍ତ୍ରଣ ବ୍ୟବସ୍ଥା:
ଏହି ପ୍ରକଳ୍ପ ସହ ଜଡିତ ଆଇବି (IB) ଗ୍ରୁପର ରିଜିଓନାଲ୍ ଅପରେସନ୍ ମ୍ୟାନେଜରଙ୍କ ସୂଚନା ଅନୁଯାୟୀ, କମ୍ପାନୀ ପକ୍ଷରୁ ଆର୍ଥିକ ଅନଗ୍ରସର ତଥା ନୂଆ ଚାଷୀମାନଙ୍କୁ କୁକୁଡ଼ା ଛୁଆ ଏବଂ ଦାନା ଯୋଗାଇ ଦିଆଯାଉଛି। ଏହି ହାଇଟେକ୍ ଫାର୍ମଟି (Genext technology) ନେକ୍ସ୍ଟ ଜେନେରେସନ୍ ମଡେଲରେ ନିର୍ମିତ ହୋଇଛି। ଏଠାରେ ବାୟୋ-ସିକ୍ୟୁରିଟିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଯଦି କୌଣସି କୁକୁଡ଼ା ମରିଯାଏ, ତେବେ ସେଗୁଡିକୁ ବାହାରେ ନ ଫିଙ୍ଗି ବୈଜ୍ଞାନିକ ଉପାୟରେ ନଷ୍ଟ କରିବା ପାଇଁ ଫାର୍ମ ପରିସରରେ ଏକ ସ୍ୱତନ୍ତ୍ର 'ଡେଡ୍ ବାର୍ଡ ପିଟ୍' କରାଯାଇଛି।
ସମ୍ପୂର୍ଣ୍ଣ ଜୀବାଣୁମୁକ୍ତ ପରିବେଶ:
ଏହା ଏକ 'ହାଇ ବାୟୋ-ସିକ୍ୟୁରିଟି ଏରିଆ' ହୋଇଥିବାରୁ ଏଠାରେ ନିୟମିତ ସାନିଟାଇଜେସନ୍ କରାଯାଉଛି। ବାହାରୁ କୌଣସି ବ୍ୟକ୍ତି କିମ୍ବା ଜୀବାଣୁ ସହଜରେ ଭିତରକୁ ପ୍ରବେଶ କରିପାରିବେ ନାହିଁ କିମ୍ବା ଫାର୍ମ ଭିତରୁ ବାହାର ପରିବେଶକୁ କୌଣସି ପ୍ରଦୂଷଣ ବ୍ୟାପିବାର ଆଶଙ୍କା ନାହିଁ। ବର୍ଜ୍ୟବସ୍ତୁ (ଲିଟର) ପରିଚାଳନା ମଧ୍ୟ ସଠିକ୍ ଢଙ୍ଗରେ ହେଉଛି। ମାତ୍ର ୧୦ ରୁ ୨୦ ମିଟର ଦୂରତା ପରେ ଫାର୍ମର କୌଣସି ଗନ୍ଧ ବାହାରକୁ ଆସୁନାହିଁ, ଯାହା ପରିବେଶ ପାଇଁ ଏକ ବଡ଼ ସକାରାତ୍ମକ ଦିଗ।



ବର୍ତ୍ତମାନ ସମୟରେ ବ୍ରଏଲର କୁକୁଡ଼ାର ମାଂସ ତଥା ଅନ୍ୟାନ୍ୟ ଅଂଶର ବ୍ୟାପକ ଚାହିଦା ରହିଛି। ଏଭଳି ସ୍ଥିତିରେ କେନ୍ଦୁଝରର ଏହି ହାଇଟେକ୍ ଫାର୍ମ ଅନ୍ୟମାନଙ୍କ ପାଇଁ ଏକ ରୋଲ୍ ମଡେଲ୍ ପାଲଟିଛି। ରାଜ୍ୟରେ ଏଭଳି ପ୍ରକଳ୍ପକୁ ବ୍ୟାପକ କରାଗଲେ ବେକାରୀ ସମସ୍ୟା ଦୂର ହେବା ସହ ଯୁବବର୍ଗ ପରିବେଶକୁ ସୁରକ୍ଷିତ ରଖି ଉନ୍ନତମାନର ବ୍ୟବସାୟ ମାଧ୍ୟମରେ ଲାଭବାନ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।
What's Your Reaction?
Like
4
Dislike
0
Love
2
Funny
0
Wow
0
Sad
0
Angry
0
Comments (0)