ଲାଞ୍ଜିଗଡ଼ରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର: ଆସିଲା ୪୨ଟି ଅଭିଯୋଗ, ୩ଟିର ତତ୍କାଳ ସମାଧାନ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏଥିରୁ ୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ, ଅନ୍ୟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭବାନୀପାଟଣା, ୨୬ ଅକ୍ଟୋବର: କଲିଙ୍ଗ ଦର୍ପଣ, ରୋହିତ କୁମାର ନିଆଲ
ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତ୍ୱରିତ ତଥା ନ୍ୟାୟସଙ୍ଗତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଏହି ଶିବିରରେ ଉପସ୍ଥିତ ରହି ଲୋକଙ୍କର ବିଭିନ୍ନ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀପାଟଣା ଉପ ଜିଲ୍ଲାପାଳ ଆସ୍ନି ଏ.ଏଲ, ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷ କମଳା ପାତ୍ର ଏବଂ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଶିବିରରେ ଦୂରଦୂରାନ୍ତରୁ ନିଜର ସମସ୍ୟାର ସମାଧାନ ଆଶାରେ ଆସିଥିବା ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ ନିକଟରେ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରିବା ସହିତ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ତଦନ୍ତ କରି ନିୟମାନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଶାସନିକ ସୂଚନା ଅନୁଯାୟୀ, ଆଜିର ଏହି ଶିବିରରେ ସର୍ବମୋଟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ଥିବାବେଳେ ୧୯ଟି ଗ୍ରାମ୍ୟ ତଥା ସାମୂହିକ ଅଭିଯୋଗ ସାମିଲ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ରହଣ କରାଯାଇଥିବା ମୋଟ ଅଭିଯୋଗ ମଧ୍ୟରୁ ୩ଟି ସମସ୍ୟାର ତତ୍କାଳ ସମାଧାନ ଘଟଣାସ୍ଥଳରେ ହିଁ କରାଯାଇଥିଲା। ଅବଶିଷ୍ଟ ୩୯ଟି ଅଭିଯୋଗର ତ୍ୱରିତ ତଦନ୍ତ ଏବଂ ଯଥାଶୀଘ୍ର ସମାଧାନ ପାଇଁ ସେଗୁଡ଼ିକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ହସ୍ତାନ୍ତର କରାଯାଇଛି।


What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)