ବହୁଚର୍ଚ୍ଚିତ ନିଠାରି ହତ୍ୟାକାଣ୍ଡ: ୧୯ ବର୍ଷ ଜେଲ୍‌ରେ ରହିବା ପରେ ମୁକୁଳିଥିବା ସୁରେନ୍ଦ୍ର କୋଲିର ଆତ୍ମହତ୍ୟା

୨୦୦୬ ମସିହାର ଦେଶଥରା ନିଠାରି ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ୧୯ ବର୍ଷ ଜେଲ୍ ଦଣ୍ଡ ଭୋଗି ନିକଟରେ ଦୋଷମୁକ୍ତ ହୋଇଥିବା ସୁରେନ୍ଦ୍ର କୋଲି ଆତ୍ମହତ୍ୟା କରିଛି। ଉତ୍ତରାଖଣ୍ଡର ହରିଦ୍ୱାର ସ୍ଥିତ ଏକ ମନ୍ଦିର ସମ୍ମୁଖରେ ଥିବା ଦୋକାନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Sep 18, 2026 - 15:39
Updated: 1 month ago
0 12
ବହୁଚର୍ଚ୍ଚିତ ନିଠାରି ହତ୍ୟାକାଣ୍ଡ: ୧୯ ବର୍ଷ ଜେଲ୍‌ରେ ରହିବା ପରେ ମୁକୁଳିଥିବା ସୁରେନ୍ଦ୍ର କୋଲିର ଆତ୍ମହତ୍ୟା

ହରିଦ୍ୱାର, କଳିଙ୍ଗ ସମ୍ବାଦ, ସତ୍ୟ ଦାସ

ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ୨୦୦୬ ମସିହାର ବହୁଚର୍ଚ୍ଚିତ ନିଠାରି ହତ୍ୟାକାଣ୍ଡ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମଲାରେ ଗିରଫ ହୋଇ ଦୀର୍ଘ ୧୯ ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପରେ ନିକଟରେ ଦୋଷମୁକ୍ତ ହୋଇଥିବା ସୁରେନ୍ଦ୍ର କୋଲି ଆତ୍ମହତ୍ୟା କରିଛି। ଉତ୍ତରାଖଣ୍ଡର ହରିଦ୍ୱାର ସହରରେ ଥିବା ଏକ ମନ୍ଦିର ସାମ୍ନା ଦୋକାନ ଘରୁ ସୁରେନ୍ଦ୍ରର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଶବ ଜବତ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ୨୦୦୬ ମସିହାରେ ଉତ୍ତରପ୍ରଦେଶ ନୋଏଡା ନିକଟସ୍ଥ ନିଠାରି ଗାଁରେ ଘଟିଥିବା ଶିଶୁ ଏବଂ ମହିଳାମାନଙ୍କର ବର୍ବରୋଚିତ ସିରିଏଲ୍ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଲୋମହର୍ଷକ ଘଟଣାରେ ସୁରେନ୍ଦ୍ର କୋଲିକୁ ଗିରଫ କରାଯାଇଥିଲା। ବିଚାର ପ୍ରକ୍ରିୟା ସମୟରେ ତଳ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ (ଫାଶୀ) ଶୁଣାଇଥିଲେ।

ତେବେ ଲମ୍ବା ଆଇନଗତ ଲଢ଼େଇ ପରେ ମାମଲାର ମୋଡ଼ ବଦଳିଥିଲା। ଉପଯୁକ୍ତ ପ୍ରମାଣ ଅଭାବରୁ ୨୦୨୩ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ସୁରେନ୍ଦ୍ର କୋଲିକୁ ଏହି ମାମଲାରୁ ଦୋଷମୁକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ଓ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ, ଚଳିତ ବର୍ଷ (୨୦୨୫) ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ଫୈସଲାକୁ କାଏମ ରଖିଥିଲେ। ଫଳସ୍ୱରୂପ, ପ୍ରାୟ ୧୯ ବର୍ଷ ଧରି ଜେଲ୍‌ର ଚାରି କାନ୍ଥ ମଧ୍ୟରେ ବନ୍ଦୀ ଜୀବନ ବିତାଇବା ପରେ ସୁରେନ୍ଦ୍ର ନିର୍ଦ୍ଦୋଷରେ ମୁକୁଳିଥିଲା। ତେବେ ସ୍ୱାଧୀନ ହେବାର କିଛି ଦିନ ପରେ ସେ ଏଭଳି ଚରମ ପଦକ୍ଷେପ ନେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User