ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ: ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର ଖାରବେଳ ନଗର ପୋଲିସ ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ। ମହିଳା ସହକର୍ମୀଙ୍କ ସହ ଅସଦାଚରଣ କରି ବନ୍ଧା ହେଲେ ପରିବହନ ବିଭାଗର ବରିଷ୍ଠ ଅଧିକାରୀ। ପୀଡ଼ିତାଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ ଏବଂ ଅଭିଯୁକ୍ତ ଅତିରିକ୍ତ ସଚିବ ଗିରଫ।

ଭୁବନେଶ୍ୱର: କଳିଙ୍ଗ ସମ୍ବାଦ, ଲାଲୁ ପ୍ରସାଦ ମଲ୍ଲ
ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟକ୍ଷେତ୍ରରେ ନିଜ ସହକର୍ମୀ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଆଜି ପୋଲିସ ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗର ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପରିବହନ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ସହକର୍ମୀଙ୍କ ସହ ଅତିରିକ୍ତ ସଚିବ ଶ୍ରୀ ବିଶ୍ୱାଳ ଅସଦାଚରଣ ତଥା ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୀଡ଼ିତା ଯୁବତୀଙ୍କ ସଙ୍ଗିନ ଅଭିଯୋଗକୁ ଭିତ୍ତି କରି ଖାରବେଳ ନଗର ଥାନା ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ, ବୟାନ ରେକର୍ଡ ଏବଂ ପ୍ରମାଣ ଆଧାରରେ ପୋଲିସ ଆଜି ଅତିରିକ୍ତ ସଚିବଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି।
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମରେ ଏଭଳି ଅଭିଯୋଗ ଆସିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ଗିରଫଦାରୀ ଲୋକସେବା ଭବନ ତଥା ପ୍ରଶାସନିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା (POSH Act) କୁ ନେଇ ସରକାର କଡ଼ା ନିୟମ ଲାଗୁ କରିଥିବା ବେଳେ ଜଣେ ଉଚ୍ଚପଦସ୍ଥ ସରକାରୀ ବାବୁଙ୍କ ଏଭଳି ଲଜ୍ଜାଜନକ କାର୍ଯ୍ୟକଳାପକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ପୋଲିସ ବର୍ତ୍ତମାନ ଏହି ଘଟଣାର ଅଧିକ ଖୋଳତାଡ଼ ଜାରି ରଖିବା ସହ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ାଉଥିବା ସୂଚନା ମିଳିଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)