ବାଳିକା ମାନଙ୍କ ସୁରକ୍ଷା ଏବଂ ଶିକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ
*ବାଳିକାଙ୍କ ସୁରକ୍ଷା ଓ ଶିକ୍ଷା ପାଇଁ ସମନ୍ୱିତ ପ୍ରୟାସ ଜରୁରୀ*
*ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ସମନ୍ୱୟ ବୈଠକ*

କଳାହାଣ୍ଡି/କଳିଙ୍ଗ ସମ୍ବାଦ (କବିରାଜ ଦୁର୍ଗା)ଭବାନୀପାଟଣା, ୯/୯: ବାଳିକାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହିତ ବାଳ୍ୟବିବାହ ନିରୋଧ ଏବଂ ବାଳିକାଙ୍କ ପ୍ରତି ରହିଥିବା ସାମାଜିକ ଭେଦଭାବ ଦୂର କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ସମନ୍ୱୟ ବୈଠକ ବୁଧବାର ସ୍ଥାନୀୟ ପରିସଂଖ୍ୟାନ ସଭାଗୃହ, ଭବାନୀପାଟଣାଠାରେ ଅନୁଷ୍ଠିତ ହୋଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଭିଭାବକମାନେ କନ୍ୟାସନ୍ତାନଙ୍କୁ ସୁରକ୍ଷିତ ରଖିବା ସହ କୌଣସି ପ୍ରକାର ଭେଦଭାବ ନକରି ସେମାନଙ୍କୁ ଶିକ୍ଷିତ ଓ ସ୍ୱାବଲମ୍ବୀ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଉପନିର୍ଦ୍ଦେଶକ, ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ ଶ୍ରୀକାନ୍ତ ଦଳେଇ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଲେନ୍ଦୁ ଶେଖର ମହାପାତ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ସଦସ୍ୟ ବିଶ୍ୱନାଥ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ନିୟତି ବାଳା ସୋରେନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଜିଲ୍ଲା ମହିଳା ହବ୍ର ଜିଲ୍ଲା ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ‘ବେଟି ବଚାଓ, ବେଟି ପଢ଼ାଓ’ର ଉଦ୍ଦେଶ୍ୟ, ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତି ଏବଂ ବିଭିନ୍ନ ସରକାରୀ ବିଭାଗର ସମନ୍ୱୟରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନା କରିଥିଲେ।
ବୈଠକରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ୱାନ୍ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର କର୍ମଚାରୀ, ବେସରକାରୀ ଅନୁଷ୍ଠାନର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ଧାର୍ମିକ ପ୍ରତିନିଧି, ଜେଣ୍ଡର ସିଆରପି ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ।
ବାଳିକା ଶିକ୍ଷାକୁ ପ୍ରୋତ୍ସାହନ, ବାଳ୍ୟବିବାହ ନିରୋଧ, ବାଳିକାଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ସହ ସରକାରୀ ଯୋଜନାର ସୁଫଳ ବାଳିକାଙ୍କ ନିକଟରେ ପହଞ୍ଚାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୋଗେଶ୍ୱର ବୁଦ୍ଧିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ କାର୍ଯ୍ୟକ୍ରମ ଅଧିକାରିଣୀ ତଥା ସୁରକ୍ଷା ଅଧିକାରିଣୀ ସନ୍ଧ୍ୟାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ମହିଳା ହବ୍ର କର୍ମଚାରୀ ଓ ଜିଲ୍ଲା ପ୍ରକଳ୍ପ ସହଯୋଗୀ ଆଭା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)