ଶିଶୁ ଶ୍ରମ ଓ ବାଲ୍ୟବିବାହ ରୋକିବାକୁ ଜିଲ୍ଲାସ୍ତରୀୟ କର୍ମଶାଳା: ପୁନର୍ବାସ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ

Aug 25, 2026 - 17:49
Updated: 2 months ago
0 78
ଶିଶୁ ଶ୍ରମ ଓ ବାଲ୍ୟବିବାହ ରୋକିବାକୁ ଜିଲ୍ଲାସ୍ତରୀୟ କର୍ମଶାଳା: ପୁନର୍ବାସ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ

ଭବାନୀପାଟଣା, (କବିରାଜ ଦୁର୍ଗା): କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଶିଶୁ ଶ୍ରମ ଓ ବାଲ୍ୟବିବାହ ନିରୋଧ ତଥା ଶିଶୁଙ୍କ ପୁନର୍ବାସ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଶିଶୁ ଭିକ୍ଷାବୃତ୍ତି, ମାନବ ଚାଲାଣ ରୋକିବା ଏବଂ ଉଦ୍ଧାର ହୋଇଥିବା ଶିଶୁମାନଙ୍କର ଥଇଥାନ ଓ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଏବଂ ‘କର୍ତ୍ତବ୍ୟ’ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ପଟ୍ଟନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ୟୁନିସେଫ୍ (ଭୁବନେଶ୍ୱର)ର ପରାମର୍ଶଦାତା ଘାସିରାମ ପଣ୍ଡାଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଏହି କର୍ମଶାଳାରେ ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବାଲ୍ୟବିବାହ ଓ ଶିଶୁ ଶ୍ରମ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଥିବା ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସୁରକ୍ଷା ଓ ପୁନର୍ବାସ ଯୋଗାଇଦେବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ମାଲିକମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତପ୍ରକାଶ ପାଇଥିଲା। ଏହାବ୍ୟତୀତ ଶିଶୁ ସୁରକ୍ଷା ହେଲ୍ପଲାଇନ୍ ‘୧୦୯୮’ର ବହୁଳ ବ୍ୟବହାର ସହିତ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ବାଲ୍ୟବିବାହ ମୁକ୍ତ ଭାରତ ଗଠନ, ମାନବ ଚାଲାଣ ନିବାରଣରେ ଶିଶୁ ମଙ୍ଗଳ ସମିତି ଏବଂ ଶିଶୁ ସୁରକ୍ଷା ସମିତିର ଭୂମିକା ତଥା ଶିଶୁଙ୍କୁ ଆଇନଗତ ଓ ନ୍ୟାୟିକ ସହାୟତା ପ୍ରଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ।

ଶିଶୁମାନଙ୍କର ସର୍ବାଙ୍ଗୀନ ସୁରକ୍ଷା ପାଇଁ ପୋଲିସ, ଶ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରହି କାର୍ଯ୍ୟ କରିବା ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ବିଭାଗୀୟ ଅଧିକାରୀ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ, ଗ୍ରାମ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ‘କର୍ତ୍ତବ୍ୟ’ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ପଟ୍ଟନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User