ବୌଦ୍ଧରେ ମହାସମାରୋହରେ ପିଏମ୍-କିଷାନ ଉତ୍ସବ ପାଳିତ: ୫୦ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଗଲା ୧୦ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ପିଏମ୍-କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଡିବିଟି (DBT) ମାଧ୍ୟମରେ ଜିଲ୍ଲାର ୫୦,୦୮୧ ଜଣ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୦ କୋଟି ୧ ଲକ୍ଷ ୬୨ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି।

Oct 31, 2026 - 08:49
Updated: 2 hours ago
0 8
ବୌଦ୍ଧରେ ମହାସମାରୋହରେ ପିଏମ୍-କିଷାନ ଉତ୍ସବ ପାଳିତ: ୫୦ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଗଲା ୧୦ କୋଟି ଟଙ୍କା

ବୌଦ୍ଧ, ୩୦/୧୦ (କଳିଙ୍ଗ ଦର୍ପଣ- ଜିଲ୍ଲା ପ୍ରତିନିଧି କୁନା ବେହେରା):

ବୌଦ୍ଧ ସହରସ୍ଥିତ ମାଉସୀମା ମନ୍ଦିର ପରିସରରେ ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ପିଏମ୍-କିଷାନ ଉତ୍ସବ ସମାରୋହ ମହାସମାରୋହରେ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ବଣ୍ଟନ ପରିପ୍ରେକ୍ଷୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ ହଜାରରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି।

ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ତପନ କୁମାର ଦାଶ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗୌରୀ ଶଙ୍କର ମିଶ୍ର ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ।

ଏହି ଅବସରରେ ମଞ୍ଚାସୀନ ଅତିଥିମାନେ ପିଏମ୍-କିଷାନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଓ ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ। କୃଷି କ୍ଷେତ୍ରରେ ନୂତନ ଏବଂ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଅଧିକ ଅମଳ କିପରି ହୋଇପାରିବ, ସେ ନେଇ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ସରକାରୀ ଯୋଜନାର ସୁଫଳ ନେଇ ଉନ୍ନତ ପଦ୍ଧତିରେ ଚାଷ କରିବାକୁ କୃଷକମାନଙ୍କୁ ଉତ୍ସାହିତ କରାଯାଇଥିଲା।

ବ୍ଲକୱାରୀ ସହାୟତା ରାଶି ବିବରଣୀ:

ବୌଦ୍ଧ ବ୍ଲକ: ୧୫,୦୦୩ ଜଣ ଚାଷୀଙ୍କୁ ୩,୦୦,୦୬,୦୦୦ ଟଙ୍କା

ହରଭଙ୍ଗା ବ୍ଲକ: ୧୪,୪୦୯ ଜଣ ଚାଷୀଙ୍କୁ ୨,୮୮,୧୮,୦୦୦ ଟଙ୍କା

କଣ୍ଟାମାଳ ବ୍ଲକ: ୨୦,୬୬୯ ଜଣ ଚାଷୀଙ୍କୁ ୪,୧୩,୩୮,୦୦୦ ଟଙ୍କା

କାର୍ଯ୍ୟକ୍ରମରେ ଉପସ୍ଥିତ ଶତାଧିକ ଚାଷୀ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଶେଷରେ କୃଷକ କଲ୍ୟାଣ ଓ କୃଷିର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭାକାର୍ଯ୍ୟ ସଂଯୋଜନା କରିଥିଲେ। କୃଷି, ଉଦ୍ୟାନକୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User