ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ: ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସାଧୁତା ଓ ସ୍ୱଚ୍ଛତାର ଶପଥ

ଭବାନୀପାଟଣାରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦ୍‌ଯାପିତ; ବିଶାଳ ପଦଯାତ୍ରା, ସଚେତନତା ସଭା ଓ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ।

Oct 31, 2026 - 14:25
Updated: 1 day ago
0 13
ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ: ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସାଧୁତା ଓ ସ୍ୱଚ୍ଛତାର ଶପଥ

ଭବାନୀପାଟଣା, ୩୧ ଅକ୍ଟୋବର: କଳିଙ୍ଗ ଦର୍ପଣ-ରୋହିତ କୁମାର ନିଆଲ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ (ଭିଜିଲାନ୍ସ) ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ନାଗରିକ ଓ ସରକାରୀ କର୍ମଚାରୀ ସାଧୁତା ତଥା ସ୍ୱଚ୍ଛତାକୁ ଜୀବନର ମୁଖ୍ୟ ଆୟୁଧ କଲେ ଏକ ସୁସ୍ଥ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ ସମ୍ମାନିତ ଅତିଥି ଏବଂ ପ୍ରାକ୍ତନ ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସ୍ୱାଗତ ଭାଷଣ ସହ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିବା ବେଳେ ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ କୁମାର ଆଇନ୍ଦ କଳାହାଣ୍ଡି ଶାଖା ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ନିବାରଣ ଏବଂ ‘ରାଷ୍ଟ୍ରୀୟ ଏକତା ଦିବସ’ର ସଂକଳ୍ପ ପାଠ କରାଇଥିଲେ।

ସଭାରେ ବକ୍ତାମାନେ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସଚ୍ଚୋଟତା ବଜାୟ ରଖିବା, ଲାଞ୍ଚ ଦେବା କିମ୍ବା ନେବା ମାନସିକତାକୁ ସମ୍ପୂର୍ଣ୍ଣ ବର୍ଜନ କରିବା ଏବଂ ସେବା ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି ଯୁବପିଢ଼ିଙ୍କ ଚରିତ୍ର ଗଠନ ଓ ଅସାଧୁ ଉପାୟ ବିରୋଧରେ ସ୍ୱର ଉତ୍ତୋଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ପୂର୍ବରୁ ସକାଳ ୮:୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ସଚେତନତା ପଦଯାତ୍ରା ବାହାରିଥିଲା, ଯାହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, 'ମାଇଁ ଭାରତ' ସ୍ୱେଚ୍ଛାସେବୀ, ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସରକାରୀ କର୍ମଚାରୀମାନେ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରି ଜନସଚେତନତା ବାର୍ତ୍ତା ବାଣ୍ଟିଥିଲେ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧୀନରେ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ଓ ପଞ୍ଚାୟତରେ ଶପଥ ପାଠ, ଗ୍ରାମସଭା ଏବଂ ଓସ୍ୱାନ ହଲ୍ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ପ୍ରବନ୍ଧ ଓ କାର୍ଟୁନ୍/କ୍ୟାପସନ୍ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା।

ଏହି ସମାବେଶରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ସହ-ନିର୍ଦ୍ଦେଶକ (ସଞ୍ଚୟ) ବିବେକାନନ୍ଦ ମହାନନ୍ଦ, ଉପ-ନିର୍ଦ୍ଦେଶକ (ଯୋଜନା) ଶ୍ରୀକାନ୍ତ ଦଳେଇ, ଡିଏସ୍‌ଏସ୍‌ଓ ଦିନେଶ କୁମାର କହଁର, ଡିପିଇଓ ରୂପ ସିଂ ରାଉତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଶେଷରେ ଡିଆଇପିଆର୍‌ଓ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User