ହରଭଙ୍ଗା ବ୍ଲକ ରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

Oct 12, 2026 - 19:15
0 47
ହରଭଙ୍ଗା ବ୍ଲକ ରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ହରଭଙ୍ଗା ବ୍ଲକରେ ସେବା ସଂକଳ୍ପ ସେତୁ ଅଭିଯାନ ଅନୁଷ୍ଠିତ l ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ l 

ବୌଦ୍ଧ, ୧୨/୧୦//କଳିଙ୍ଗ ଦର୍ପଣ /

( କୁନା ବେହେରା )

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକଠାରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସେବା ସଂକଳ୍ପ ସେତୁ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ , ସାଂସଦଙ୍କ ପ୍ରତିନିଧି ସୁଭାଷ ଚନ୍ଦ୍ର ପ୍ରଧାନ, ବିଡିଓ କର୍ଣ୍ଣ ସୁନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଏକ ଭୀମଭୋଇ ସାମର୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ସେବା ସଂକଳ୍ପ ସେତୁ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନା ଓ ଜନକଲ୍ୟାଣକାରୀ ସେବାଗୁଡ଼ିକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ସମର୍ପଣ ଭାବନାର ସହ କାର୍ଯ୍ୟ କରି ତୃଣମୂଳ ସ୍ତରରେ ଥିବା ଲୋକଙ୍କ ଦ୍ୱାରଦେଶରେ ସରକାରୀ ସେବା ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ।

ଶିବିରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଲକ୍ଷାଧିକ ଟଙ୍କାର ଅନୁଦାନ, ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ଶ୍ରମିକମାନଙ୍କୁ ଲେବର କାର୍ଡ, ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଦିବ୍ୟାଙ୍ଗମାନଙ୍କୁ ତିନିଚକିଆ ସାଇକେଲ, ବସ୍ ପାସ୍ ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ଆଦି ଯୋଗାଇ ଦିଆଯାଇଥିଲା।

ଏଥିସହ ଶ୍ରମ ବିଭାଗ ପକ୍ଷରୁ ତିନିଜଣ ମୃତ ଶ୍ରମିକଙ୍କ ନୋମିନୀଙ୍କୁ ଜଣପିଛା ୩ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶ୍ରମିକ ଓ ସାଧାରଣ ଜନତା ଯୋଗଦେଇ ବିଭିନ୍ନ ସରକାରୀ ସେବା ଓ ଯୋଜନାର ସୁଫଳ ପାଇଥିଲେ। ସେବା ସଂକଳ୍ପ ସେତୁ ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ସରକାରୀ ସେବା ପ୍ରଦାନ ଏବଂ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସୁନିଶ୍ଚିତ କରିବା ଦିଗରେ ଜିଲ୍ଲା ପ୍ରଶାସନର ପ୍ରୟାସକୁ ଆହୁରି ସୁଦୃଢ଼ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।( ବୌଦ୍ଧ ରୁ କୁନା ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User