ଆମ୍ବଦଳା ରେଳ ଷ୍ଟେସନ ରେ ଟିକେଟ ପାଇଁ ଯାତ୍ରୀ ହନ୍ତସନ୍ତ
ଅମ୍ବାଦଳାରେ ରେଳ ସଂରକ୍ଷିତ ଟିକେଟ କାଉଣ୍ଟର ସମୟ ବୃଦ୍ଧି ଦାବି
କଳିଙ୍ଗ ଦର୍ପଣ /ରାୟଗଡା /ରଜତ ତ୍ରିପାଠୀ

ମଧ୍ୟାହ୍ନ ୨ଟା ପରେ ବନ୍ଦ, ସନ୍ଧ୍ୟାରେ ଯାତ୍ରୀ ହେଉଛନ୍ତି ହଇରାଣ
ମୁନିଗୁଡା ,୨।୧୦(ଆନିସ )ରାୟଗଡ଼ା ଜିଲ୍ଲାର ଅମ୍ବାଦଳା ରେଳ ଷ୍ଟେସନରେ ସଂରକ୍ଷିତ ଟିକେଟ କାଉଣ୍ଟରର ସମୟ ବୃଦ୍ଧି କରିବାକୁ ଦାବି ହୋଇଛି। ବର୍ତ୍ତମାନ କାଉଣ୍ଟରଟି ମଧ୍ୟାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଏହା ପରେ ବନ୍ଦ ରହୁଛି। ଫଳରେ ସନ୍ଧ୍ୟା ସମୟରେ ଦୂରଦୂରାନ୍ତରୁ ଷ୍ଟେସନକୁ ଆସୁଥିବା ଯାତ୍ରୀମାନେ ସଂରକ୍ଷିତ ଟିକେଟ ବୁକିଂ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।
ଅମ୍ବାଦଳା ଷ୍ଟେସନ ଉପରେ ମୁନିଗୁଡ଼ା, ବିଷମକଟକ ସମେତ ଆଖପାଖ ଅଞ୍ଚଳର ଅନେକ ଲୋକ ନିର୍ଭର କରନ୍ତି। ଦୂର ଯାତ୍ରା ପାଇଁ ସଂରକ୍ଷିତ ଟିକେଟ କରିବାକୁ ଅନେକ ଯାତ୍ରୀ ସିଧାସଳଖ କାଉଣ୍ଟର ଉପରେ ନିର୍ଭରଶୀଳ। କିନ୍ତୁ ମଧ୍ୟାହ୍ନ ୨ଟା ପରେ କାଉଣ୍ଟର ବନ୍ଦ ହୋଇଯାଉଥିବାରୁ ସନ୍ଧ୍ୟା ସମୟରେ ଟିକେଟ କରିବାକୁ ଆସୁଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ୁଛି।
ବିଶେଷକରି କାମଧନ୍ଦା ସାରି ସନ୍ଧ୍ୟାରେ ଷ୍ଟେସନକୁ ଆସୁଥିବା ଯାତ୍ରୀ, ବୃଦ୍ଧ ଓ ଦୂରଦୂରାନ୍ତର ଲୋକେ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ସଂରକ୍ଷିତ ଟିକେଟ ପାଇଁ ପୁଣି ଅନ୍ୟ ଦିନ ଆସିବା କିମ୍ବା ଅନ୍ୟ ସ୍ଥାନକୁ ଯିବାକୁ ପଡ଼ୁଛି। ଏହାଦ୍ୱାରା ଯାତ୍ରୀଙ୍କ ସମୟ ଓ ଅର୍ଥ ଉଭୟ ନଷ୍ଟ ହେଉଥିବା ଅଭିଯୋଗ ହେଉଛି।
ଅମ୍ବାଦଳା ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ହୋଇଥିବାରୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସଂରକ୍ଷିତ ଟିକେଟ କାଉଣ୍ଟରର ସମୟ ସନ୍ଧ୍ୟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ହୋଇଛି। ରେଳ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ସନ୍ଧ୍ୟା ସମୟରେ ମଧ୍ୟ ସଂରକ୍ଷିତ ଟିକେଟ ବୁକିଂ ସୁବିଧା ଯୋଗାଇ ଦେବାକୁ ଯାତ୍ରୀ ଓ ଅଞ୍ଚଳବାସୀ ତଥା ଅମ୍ବାଦଳା ସିଟିଜେନ୍ସ କମିଟି ସଦସ୍ୟ ଧୀରେନ୍ଦ୍ର ପାଣିଗ୍ରାହି,ଦେବି ପ୍ରସାଦ ମୁଖାର୍ଜୀ,ଜଗନ୍ନାଥ ପ୍ରସାଦ,ବିନୋଦ ସାହୁ,ତ୍ରିନାଥ ପାତ୍ର,ସନ୍ତୋଷ ଆଚାରି, ମୁକୁନ୍ଦ ତ୍ରିପାଠି,ନରେଶ ସାହୁ,ସୁବାସ ସେନାପତି ପ୍ରମୁଖ ଦାବି କରିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)