୮୦ ବର୍ଷ ବୟସରେ ବି ସରକାରୀ ଯୋଜନାରୁ ବଞ୍ଚିତ ବୃଦ୍ଧା: ନା ମିଳିଲା ପକ୍କା ଘର, ନା ମିଳୁଛି ୩୫୦୦ ଟଙ୍କା ଭତ୍ତା
ଜୟପାଟଣା ବ୍ଲକ୍ ଉଛଲା ପଞ୍ଚାୟତର କୁମଜର ଗାଁରେ ସରକାରୀ ଯୋଜନାର ବିଫଳ ଚିତ୍ର ସାମ୍ନାକୁ ଆସିଛି। ଏଠାକାର ୮୦ ବର୍ଷୀୟା ବୃଦ୍ଧା ନୀଳା ନାଗ ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ୩,୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଶୁଣୁନଥିବା ବେଳେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଜୟପାଟଣା (କଳିଙ୍ଗ ଦର୍ପଣ / ଭୂପେନ୍ଦ୍ର ଦୁର୍ଗା):
ଗୋଟିଏ ପଟେ ରାଜ୍ୟ ତଥା କେନ୍ଦ୍ର ସରକାର ଗରିବ, ଅସହାୟ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। ତେବେ ତୃଣମୂଳ ସ୍ତରରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା କିପରି ପହଞ୍ଚିପାରୁ ନାହିଁ, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ୍ ଅନ୍ତର୍ଗତ ଉଛଲା ପଞ୍ଚାୟତର କୁମଜର ଗାଁରେ।

ଏହି ଗ୍ରାମର ନୀଳା ନାଗ ନାମକ ଜଣେ ୮୦ ବର୍ଷୀୟା ବୃଦ୍ଧା ଏବେ ବି ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ବୟସର ଅପରାହ୍ଣରେ ପହଞ୍ଚିଥିବା ଏହି ଅସହାୟ ବୃଦ୍ଧାଙ୍କ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଭଲ ଘର ନାହିଁ। ଘରର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବାରୁ ବର୍ଷା, ଝଡ଼ପବନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ୁଛି। ଦୀର୍ଘ ଦିନ ଧରି ସେ ଏକ ପକ୍କା ଘର ଖଣ୍ଡିଏ ପାଇଁ ଆଶା ବାନ୍ଧି ବସିଥିଲେ ମଧ୍ୟ ପ୍ରଶାସନିକ ଅବହେଳା କାରଣରୁ ଆଜି ପର୍ଯ୍ୟନ୍ତ ତାଙ୍କ ନାମ ଆବାସ ଯୋଜନାରେ ସାମିଲ ହୋଇପାରିନାହିଁ।
କେବଳ ଆବାସ ଯୋଜନା ନୁହେଁ, ବୃଦ୍ଧାଙ୍କୁ ୮୦ ବର୍ଷ ବୟସ ହୋଇଥିଲେ ମଧ୍ୟ ନିୟମ ଅନୁଯାୟୀ ମିଳିବାକୁ ଥିବା ୩,୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ତାଙ୍କୁ ମିଳୁନାହିଁ। ବୃଦ୍ଧାବସ୍ଥାରେ ନିଜର ଦୈନନ୍ଦିନ ଖର୍ଚ୍ଚ, ଖାଦ୍ୟପେୟ ଏବଂ ଔଷଧପତ୍ର ପାଇଁ ସରକାରୀ ଭତ୍ତା ତାଙ୍କ ପାଇଁ ଏକ ବଡ଼ ସହାୟତା ହୋଇପାରିଥାନ୍ତା। କିନ୍ତୁ ଭତ୍ତା ନମିଳିବାରୁ ତାଙ୍କ ଜୀବନ ଆହୁରି କଷ୍ଟକର ହୋଇପଡିଛି।

ବୃଦ୍ଧା ନୀଳା ନାଗଙ୍କ କହିବା ଅନୁଯାୟୀ, ନିଜର ଏହି ସମସ୍ୟା ସମ୍ପର୍କରେ ସେ ସ୍ଥାନୀୟ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଅନେକ ଥର ଜଣାଇଛନ୍ତି। ତଥାପି କେହି ତାଙ୍କ ଗୁହାରି ଶୁଣୁନାହାନ୍ତି କିମ୍ବା ସମସ୍ୟାର ସମାଧାନ ହେଉନାହିଁ। ସରକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀଙ୍କ ପାଖରେ କେତେଦୂର ପହଞ୍ଚୁଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନ କେବେ ଏହି ଘଟଣା ଉପରେ ଦୃଷ୍ଟି ଦେଉଛି। ତୁରନ୍ତ ଏହି ଘଟଣାର ଯାଞ୍ଚ କରି ଯୋଗ୍ୟ ହିତାଧିକାରୀ ନୀଳା ନାଗଙ୍କୁ ଆବାସ ଯୋଜନାରେ ଏକ ପକ୍କା ଘର ଏବଂ ନିୟମ ଅନୁଯାୟୀ ଭତ୍ତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)