ନର୍ଲା ଡକାୟତି ମାମଲାର ଫର୍ଦାଫାସ

Sep 02, 2026 - 22:49
0 139
ନର୍ଲା ଡକାୟତି ମାମଲାର ଫର୍ଦାଫାସ

*ନର୍ଲାରେ ଡକାୟତି ମାମଲାର ପର୍ଦ୍ଦାଫାଶ: ୭ ଅଭିଯୁକ୍ତ କୋର୍ଟ ଚାଲାଣ*

*ନଗଦ ୩.୮୫ ଲକ୍ଷ ଟଙ୍କା, ସୁନା, ୪ଟି ଗାଡ଼ି ଓ ୯ ମୋବାଇଲ ଜବତ; ଆଉ ୩ ଅଭିଯୁକ୍ତ ଫେରାର*

କଳାହାଣ୍ଡି/କଳିଙ୍ଗ ସମ୍ବାଦ (କବିରାଜ ଦୁର୍ଗା)ନର୍ଲା, ୨/୯: ଗତ କିଛି ମାସ ଧରି ନର୍ଲା ଅଞ୍ଚଳରେ ଚୋରି, ଡକାୟତି ଓ ଦୋକାନ ଲୁଟ୍ ଘଟଣାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଭବାନୀପାଟଣାର ବ୍ୟବସାୟୀ ଘନଶ୍ୟାମ ଅଗ୍ରୱାଲଙ୍କ ଟଙ୍କା ଲୁଟ୍ ମାମଲାରେ ନର୍ଲା ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଗତ ଅଗଷ୍ଟ ୧୨ ତାରିଖରେ ନର୍ଲା ଥାନା ଅନ୍ତର୍ଗତ ଚିପୁଲ ନର୍ସରୀ ନିକଟରେ ଘନଶ୍ୟାମ ଅଗ୍ରୱାଲଙ୍କ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଉପେନ୍ଦ୍ର ରାଉତ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ କେସ୍ ନମ୍ବର ୧୬୭/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ସମେତ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇ ପୋଲିସ ଗତ ସେପ୍ଟେମ୍ବର ୧ ତାରିଖରେ ବିଭିନ୍ନ ଅଞ୍ଚଳରୁ ୭ ଜଣଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ରୁପ୍ରାରୋଡ୍ ଗ୍ରାମପଞ୍ଚାୟତ ବଳବସପୁରର ବିକାଶ ଚନ୍ଦ୍ର ସାହୁ ଓ ଅଜିତ କୁମାର ସାହୁ, ସିକେରକୁପାର ସୁଶାନ୍ତ ଗଉଡ଼ ଓ ପ୍ରଦୀପ କୁମାର ନାଏକ, କାଉଗୁଡ଼ାର ପ୍ରଶାନ୍ତ କୁମାର ଜାଲ, ଲାଞ୍ଜିଗଡ଼ ରୋଡ୍‌ର ଦେବାଶିଷ ଗଉଡ଼ ଏବଂ ଭବାନୀପାଟଣା ଥାନା ଅନ୍ତର୍ଗତ ମେଦିନୀପୁରର ଆରୀୟନ୍ ନାଏକ।

ପୋଲିସ ସେମାନଙ୍କ ନିକଟରୁ ଦୁଇଟି ଚାରିଚକିଆ ଗାଡ଼ି, ଦୁଇଟି ମୋଟରସାଇକେଲ, ୯ଟି ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍, ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା ଏବଂ ୭.୬୯ ଗ୍ରାମ ସୁନା ଜବତ କରିଥିବା ସୂଚନା ଦେଇଛି।

ବୁଧବାର ସନ୍ଧ୍ୟାରେ ନର୍ଲା ଥାନା ଅଧିକାରୀ କୈବଲ୍ୟ ସେଠ୍ ସାମ୍ବାଦିକ ସମ୍ମିଳନୀ କରି ମାମଲା ସମ୍ପର୍କରେ ସୂଚନା ଦେବା ସହ ଗିରଫ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଥିଲେ। ମାମଲାରେ ଆଉ ୩ ଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି।

ନର୍ଲା ଅଞ୍ଚଳରେ ଗତ କିଛି ମାସ ଧରି ଘଟିଥିବା ଅନ୍ୟାନ୍ୟ ଚୋରି ଓ ଲୁଟ୍ ଘଟଣାରେ ମଧ୍ୟ ଏହି ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ରୁପ୍ରାରୋଡ୍‌ର ଅଳଙ୍କାର ଦୋକାନ, ତୁଳାପଡ଼ାର ସତ୍ୟବ୍ରତ ଦାସଙ୍କ ଘର, ନର୍ଲା ଥାନା ସମ୍ମୁଖରେ ଥିବା ଜିନମାତା କପଡ଼ା ଦୋକାନ ଏବଂ ରୁପ୍ରାରୋଡ୍‌ର ଦୁଇ ବ୍ୟବସାୟୀଙ୍କଠାରୁ ଲୁଟ୍ ଭଳି ଘଟଣାରେ ଜଡ଼ିତ ଅଭିଯୁକ୍ତମାନେ କେବେ ଧରାପଡ଼ିବେ, ତାହାକୁ ନେଇ ନର୍ଲାବାସୀଙ୍କ ମଧ୍ୟରେ ଅପେକ୍ଷା ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User