ନିବେଶ ନାଁରେ ୨୫ ଲକ୍ଷର ଠକେଇ: ସମ୍ବଲପୁରରୁ ଗିରଫ ହେଲେ ଦୁଇ ଭଉଣୀ ଓ ଭାଇ; ବିପୁଳ ନଗଦ ଟଙ୍କା ଓ ସୁନା ଜବତ

ଟଙ୍କା ନିବେଶ କଲେ ଅଧିକ ଲାଭ ମିଳିବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଏକ ପରିବାରଭିତ୍ତିକ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସମ୍ବଲପୁର ସାଇବର ପୋଲିସ। ଏହି ଘଟଣାରେ ଅଇଁଠାପାଲି ଅଞ୍ଚଳରୁ ଦୁଇ ଭଉଣୀ ଏବଂ ଜଣେ ଭାଇଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ସାଢ଼େ ୧୫ ଲକ୍ଷ ଟଙ୍କା, ୧୨ ଲକ୍ଷର ସୁନା ଅଳଙ୍କାର ସମେତ ୨୦ଟି ମୋବାଇଲ୍ ଓ ନକଲି ଆଧାର କାର୍ଡ ଜବତ ହୋଇଛି।

Sep 18, 2026 - 18:58
Updated: 1 month ago
0 16
ନିବେଶ ନାଁରେ ୨୫ ଲକ୍ଷର ଠକେଇ: ସମ୍ବଲପୁରରୁ ଗିରଫ ହେଲେ ଦୁଇ ଭଉଣୀ ଓ ଭାଇ; ବିପୁଳ ନଗଦ ଟଙ୍କା ଓ ସୁନା ଜବତ

ସମ୍ବଲପୁର, କଳିଙ୍ଗ ସମ୍ବାଦ, ରୋହିତ କୁମାର ନିଆଲ 

ଅଧିକ ଲାଭର ମିଥ୍ୟା ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିବା ଏକ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସମ୍ବଲପୁର ସାଇବର ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ଏକା ପରିବାରର ୩ ଜଣଙ୍କୁ (୨ ଭଉଣୀ ଏବଂ ଜଣେ ଭାଇ) ଗିରଫ କରିଛି। ଅଭିଯୁକ୍ତମାନେ ପରିଚୟ ଲୁଚାଇ ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁସିର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଠକ ଗ୍ୟାଙ୍ଗ୍ ଏକ ସୁଚିନ୍ତିତ ଯୋଜନା ମୁତାବକ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। କୌଣସି ଏକ ସ୍କିମ୍‌ରେ ଟଙ୍କା ନିବେଶ କଲେ ଖୁବ୍ କମ୍ ଦିନରେ ଅଧିକ ଲାଭ ବା ରିଟର୍ଣ୍ଣ ମିଳିବ ବୋଲି ସେମାନେ ବିଶ୍ୱାସ ଜନ୍ମାଉଥିଲେ। ଏହି ପ୍ରଲୋଭନରେ ପଡ଼ି ଜଣେ ବ୍ୟକ୍ତି ନିଜର ୨୫ ଲକ୍ଷ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ଠକାମିର ଶିକାର ହୋଇଥିବା ଜାଣିବା ପରେ ପୀଡ଼ିତ ଜଣକ ସମ୍ବଲପୁର ସାଇବର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ସାଇବର ପୋଲିସ ଟେକ୍ନିକାଲ୍ ସର୍ଭିଲାନ୍ସ ଏବଂ ଟ୍ରାକିଂ ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଅଭିଯୁକ୍ତମାନେ କାଇଁସିର ଅଞ୍ଚଳରେ ଥିବା ଜଣାପଡିବା ପରେ ଉକ୍ତ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ପୋଲିସ ଅଭିଯୁକ୍ତ ଭାଇ ଓ ଦୁଇ ଭଉଣୀଙ୍କ ଠାରୁ ୧୫ ଲକ୍ଷ ୫୦ ହଜାର ନଗଦ ଟଙ୍କା ଏବଂ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ କରିଛି।

ଏହାବ୍ୟତୀତ ଠକେଇ ନେଟୱର୍କ ପରିଚାଳନା ପାଇଁ ବ୍ୟବହୃତ ହେଉଥିବା ୨୦ଟି ବିଭିନ୍ନ କମ୍ପାନୀର ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍ ଏବଂ ବହୁ ନକଲି ଆଧାର କାର୍ଡ ମଧ୍ୟ ପୋଲିସ ହାତରେ ଲାଗିଛି। ନକଲି ଆଧାର କାର୍ଡ ବ୍ୟବହାର କରି ସେମାନେ ଫେକ୍ ସିମ୍ କାର୍ଡ ଆଣିବା ସହ ବିଭିନ୍ନ ବ୍ୟାଙ୍କରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା କାରବାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଏହି ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଥିବା ବେଳେ, ଏହି ଗ୍ୟାଙ୍ଗ୍ ସହ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ଏବଂ ସେମାନେ ଅନ୍ୟ କେଉଁମାନଙ୍କୁ ଠକିଛନ୍ତି, ସେ ନେଇ ପଚରାଉଚରା ଜାରି ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Rohit Kumar Nial

State Secretary of KWMI

Comments (0)

User