ଥୁଆମୂଳ ରାମପୁର ବ୍ଲକ ରେ ଯୁବ ସାମ୍ୱାଦିକ ସଂଘ ବୈଠକ

Aug 31, 2026 - 09:28
0 82
ଥୁଆମୂଳ ରାମପୁର ବ୍ଲକ ରେ ଯୁବ ସାମ୍ୱାଦିକ ସଂଘ ବୈଠକ

ଥୁଆମୂଳ ରାମପୁରରେ ଯୁବ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ଉତ୍ସବ#କଳିଙ୍ଗ ସମ୍ବାଦ 

ନିରପେକ୍ଷ ଓ ସଚ୍ଚୋଟ ସାମ୍ବାଦିକତା ଉପରେ ଗୁରୁତ୍ୱ — ସତ୍ୟ ଓ ତଥ୍ୟଭିତ୍ତିକ ଖବର ପ୍ରସାରଣକୁ ଆହ୍ୱାନ

ଥୁଆମୂଳ ରାମପୁର, ୩୦/୦୮:ସୁବାଷ ନାୟକ 

ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହଠାରେ ରବିବାର ‘ଯୁବ ସାମ୍ବାଦିକ ସଂଘ’ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ ସାମ୍ବାଦିକତାକୁ ଅଧିକ ସୁଦୃଢ଼ କରିବା ସହ ସତ୍ୟ, ନିରପେକ୍ଷ ଓ ଦାୟିତ୍ୱଶୀଳ ଖବର ପ୍ରସାରଣ ଉପରେ ଏହି ଅବସରରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଜାତୀୟ କଂଗ୍ରେସ ଦଳର ଜିଲ୍ଲା ସଭାପତି ଜଳନ୍ଧର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକତାର ଦାୟିତ୍ୱ ଓ ସାମାଜିକ ଭୂମିକା ଉପରେ ମତ ରଖିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ସୁଜାନ୍ କୁମାର ନାଏକ, ପରମେଶ୍ୱର ନାଏକ, ଅଜିତ୍ ନାଏକ, ତରୁଣ ନାଏକ ଓ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି ଉପସ୍ଥିତ ଥିଲେ।

ସଂଘର ସଭାପତି ମକୁନ୍ଦ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରି ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ହିତେଶ କୁମାର ନାଏକ ମଞ୍ଚ ପରିଚାଳନା କରିଥିଲେ।

ସଭାରେ ବକ୍ତାମାନେ କହିଥିଲେ ଯେ, ସାମ୍ବାଦିକତା କେବଳ ଖବର ପ୍ରକାଶ କରିବାର ମାଧ୍ୟମ ନୁହେଁ, ଏହା ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ। ତେଣୁ ଖବର ପ୍ରସାରଣ ସମୟରେ ନିରପେକ୍ଷତା, ସତ୍ୟନିଷ୍ଠା ଓ ତଥ୍ୟର ଯାଞ୍ଚକୁ ପ୍ରାଥମିକତା ଦେବା ଆବଶ୍ୟକ। ମିଥ୍ୟା, ଅସତ୍ୟ କିମ୍ବା ଅପ୍ରମାଣିତ ଖବର ସମାଜରେ ବିଭ୍ରାନ୍ତି ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଥିଲା।

ବର୍ତ୍ତମାନ ସମୟରେ ସାମ୍ବାଦିକ ଓ ଆରଟିଆଇ କର୍ମୀଙ୍କୁ ନେଇ ସମାଜରେ ସୃଷ୍ଟି ହେଉଥିବା ଭୟର ବାତାବରଣ ଦୂର କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସତ୍ୟ ଓ ତଥ୍ୟ ଆଧାରିତ ଖବର ମାଧ୍ୟମରେ ଲୋକଙ୍କ ସମସ୍ୟା, ଅଧିକାର ଓ ଅଞ୍ଚଳର ବାସ୍ତବ ଚିତ୍ର ସାମ୍ନାକୁ ଆଣିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।

ସାମ୍ବାଦିକତା କେବେ ମଧ୍ୟ କାହାକୁ ଭୟଭୀତ କରିବା କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ସାଧନର ମାଧ୍ୟମ ହେବା ଉଚିତ୍ ନୁହେଁ। ବରଂ ଅଞ୍ଚଳର ସ୍ୱାର୍ଥ, ଜନସାଧାରଣଙ୍କ ସମସ୍ୟା ଓ ପ୍ରଶାସନିକ ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ନିର୍ଭୁଲ ଭାବେ ଉପସ୍ଥାପନ କରିବା ସାମ୍ବାଦିକଙ୍କ ମୁଖ୍ୟ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।

ଏଥିସହ ସଂଘର ସଦସ୍ୟମାନଙ୍କୁ ଜର୍ଣ୍ଣାଲିଜିମ୍‌ର ଔପଚାରିକ ଶିକ୍ଷା ଗ୍ରହଣ କରି ନିଜ ଦକ୍ଷତା ବୃଦ୍ଧି କରିବା ସହ ଭବିଷ୍ୟତରେ ବଡ଼ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହିତ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ମିଥିଳା ନାଏକ, ସୁଭାଷ ନାଏକ, ଗୋମୟରଞ୍ଜନ ନାଏକ ଓ ଯୋଗେଶ ବିହାରୀଙ୍କ ସମେତ ନୂତନ ସାମ୍ବାଦିକମାନେ ଆନୁଷ୍ଠାନିକ ଭାବେ ଯୁବ ସାମ୍ବାଦିକ ସଂଘରେ ସାମିଲ ହୋଇଥିଲେ। ନୂତନ ସଦସ୍ୟମାନଙ୍କୁ ସଂଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ସଂଘର ଉପସଭାପତି ମହେଶ୍ୱର ନାଏକ, ସହ-ସମ୍ପାଦକ ରମାକାନ୍ତ ନାଏକ, କୋଷାଧ୍ୟକ୍ଷ ମହେନ୍ଦ୍ର ନାଏକ, ବାଲେଶ୍ୱର ନାଏକଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟ ଓ ଅତିଥିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ଯୁବ ସାମ୍ବାଦିକମାନଙ୍କ ମଧ୍ୟରେ ସାମ୍ବାଦିକତାର ନୀତି, ନିରପେକ୍ଷତା ଓ ସତ୍ୟନିଷ୍ଠାକୁ ଆହୁରି ମଜବୁତ କରିବା ସହ ଜନସାଧାରଣଙ୍କ ସ୍ୱରକୁ ଦୃଢ଼ ଭାବେ ଉପସ୍ଥାପନ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

What's Your Reaction?

Like Like 3
Dislike Dislike 0
Love Love 3
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User