କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମ ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

Oct 02, 2026 - 19:42
0 11
କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମ ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

*କଳାହାଣ୍ଡିରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ପାଇଁ ୪୪ ଦିନିଆ ଅଭିଯାନ ଆରମ୍ଭ*

*୨୦୨୯ ସୁଦ୍ଧା ସମସ୍ତ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟ*

କଳାହାଣ୍ଡି/କଳିଙ୍ଗ ଦର୍ପଣ (କବିରାଜ ଦୁର୍ଗା), ଭବାନୀପାଟଣା, ଅକ୍ଟୋବର ୨: କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ୪୪ ଦିନିଆ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଅକ୍ଟୋବର ୨ରୁ ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା।

ଅଭିଯାନର ପ୍ରଥମ ଦିନ ଅକ୍ଟୋବର ୨ରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରାଯାଇ ଶିଶୁ ଶ୍ରମିକ, ବିଦ୍ୟାଳୟ ବାହାରେ ଥିବା ଶିଶୁ, ଅସୁରକ୍ଷିତ ଶିଶୁ ଓ ସେମାନଙ୍କ ପରିବାର ସମ୍ପର୍କରେ ଆଲୋଚନା କରାଯାଉଛି। ଶିଶୁମାନଙ୍କୁ ପୁନଃ ବିଦ୍ୟାଳୟକୁ ଫେରାଇ ଆଣିବା ସହ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ନେଇ ସଂକଳ୍ପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି।

ଅଭିଯାନ ଅନ୍ତର୍ଗତ ଅକ୍ଟୋବର ୨୦ ସୁଦ୍ଧା ସ୍ୱତନ୍ତ୍ର ଗ୍ରାମ ପଞ୍ଚାୟତ ବୈଠକ, ଅକ୍ଟୋବର ୩୧ ସୁଦ୍ଧା ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଏବଂ ନଭେମ୍ବର ୧୦ ସୁଦ୍ଧା ଜିଲ୍ଲାସ୍ତରୀୟ ସମନ୍ୱୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ଅଭିଯାନର ସମାପନ କାର୍ଯ୍ୟକ୍ରମ ହେବ।

ଏହି ଅଭିଯାନରେ ସହକାରୀ ଶ୍ରମ ଅଧିକାରୀ, ଗ୍ରାମ ପଞ୍ଚାୟତ, ପଞ୍ଚାୟତିରାଜ ପ୍ରତିନିଧି, ବିଦ୍ୟାଳୟ, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ସମ୍ମୁଖସାରୀ କର୍ମୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସାମିଲ ହେବେ। ମିଶନ ଶକ୍ତି ନେଟୱର୍କ ମାଧ୍ୟମରେ ପରିବାର ସ୍ତରରେ ସଚେତନତା ସୃଷ୍ଟି, ଅସୁରକ୍ଷିତ ଶିଶୁ ଓ ପରିବାର ଚିହ୍ନଟ, ବିଦ୍ୟାଳୟ ଛାଡ଼ିବା ଓ ଶିଶୁ ଶ୍ରମ ରୋକିବା ସହ ଆବଶ୍ୟକ ସରକାରୀ ସହାୟତା ସହିତ ପରିବାରଗୁଡ଼ିକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ।

ବିଶେଷକରି ଅସୁରକ୍ଷିତ ଓ ପ୍ରବାସୀ ପରିବାରର ଶିଶୁମାନଙ୍କ ସୁରକ୍ଷା ଏବଂ ଶିଶୁ ଶ୍ରମ ରୋକିବାରେ ମହିଳା ଗୋଷ୍ଠୀଗୁଡ଼ିକର ଭୂମିକାକୁ ଗୁରୁତ୍ୱ ଦିଆଯାଇଛି। ଅଭିଯାନ ସମ୍ପର୍କିତ କାର୍ଯ୍ୟକଳାପ, ଚିହ୍ନଟ ହୋଇଥିବା ଅସୁରକ୍ଷିତ ଶିଶୁ ଓ ପରିବାର ଏବଂ ନିଆଯାଇଥିବା ପଦକ୍ଷେପର ରେକର୍ଡ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅଭିଯାନର ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱତନ୍ତ୍ର ଗ୍ରାମସଭା ଓ ଶିଶୁ ଶ୍ରମ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଗୋଲାମୁଣ୍ଡା ବ୍ଲକର ବଡ଼ଚେରଗାଁ ଜିପି, ନର୍ଲା ବ୍ଲକର ସାନୁପୁର ଜିପି, ଲାଞ୍ଜିଗଡ଼ ବ୍ଲକର ବିଶ୍ୱନାଥପୁର ଜିପି, ଜୁନାଗଡ଼ ବ୍ଲକର ବାଲଡିଆମାଲ ଜିପି, ଏମ୍‌. ରାମପୁର ବ୍ଲକର ସାଇଦାଲଙ୍ଗା ଜିପି, ଭବାନୀପାଟଣା ବ୍ଲକର ମାଲଗାଁ ଜିପି, କେସିଙ୍ଗା ବ୍ଲକର ନାସିଗାଁ ଜିପି, ଜୟପାଟଣା ବ୍ଲକର ହିରାପୁର ଜିପି, କର୍ଲାମୁଣ୍ଡା ବ୍ଲକର ଏସ୍‌. ମାଲପଡ଼ା ଜିପି ଏବଂ ଥୁଆମୂଳ ରାମପୁର ବ୍ଲକର କିଆପଦର ଜିପିରେ ସମ୍ପୃକ୍ତ ଅଞ୍ଚଳର ସହକାରୀ ଶ୍ରମ ଅଧିକାରୀମାନେ ଯୋଗଦେଇ ଗ୍ରାମସଭା ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଶିଶୁ ଶ୍ରମ ନିରାକରଣ ସହ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଉପଯୁକ୍ତ ପରିବେଶ ଯୋଗାଇଦେବା ଦିଗରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User