ନନ୍ଦିପଦା ଥାନା ଅଞ୍ଚଳରୁ ୧୭ ବର୍ଷୀୟା କଲେଜ ଛାତ୍ରୀ ନିଖୋଜ: ଅପହରଣ ଅଭିଯୋଗରେ ମାମଲା ରୁଜୁ
କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା କଲେଜ ଛାତ୍ରୀ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପନ୍ଦାଡୋ ଗ୍ରାମର ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ନନ୍ଦିପଦା, ସତ୍ୟ ଦାସ (କଳିଙ୍ଗ ଦର୍ପଣ):
କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରୁ ଜଣେ ୧୭ ବର୍ଷୀୟା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ପୋଲିସ ପାଖରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପ୍ରାପ୍ତ ସୂଚନା ମୁତାବକ, ନନ୍ଦିପଦା ଥାନା ଅନ୍ତର୍ଗତ ପନ୍ଦାଡୋ ଗ୍ରାମର ଶିଶିର ଦେବତା (୩୫) ଉକ୍ତ କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଗତ ଶନିବାର ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପରିବାରବର୍ଗ ବିଭିନ୍ନ ସ୍ଥାନରେ ବହୁତ ଖୋଜାଖୋଜି କରିବା ସତ୍ତ୍ବେ କୌଣସି ସନ୍ଧାନ ନ ପାଇବାରୁ, ରବିବାର ଦିନ ନନ୍ଦିପଦା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତିକରି ନନ୍ଦିପଦା ଥାନାରେ ଏକ ମାମଲା (ନଂ. ୩୯୩/୨୦୨୬) ରୁଜୁ କରାଯାଇଛି। ଅନ୍ୟପକ୍ଷରେ, ନିଖୋଜ ଛାତ୍ରୀଙ୍କୁ କୁଶଳ ସହ ଉଦ୍ଧାର ଏବଂ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ଥାନୀୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସର ତଦନ୍ତ ଜାରି ରହିଥିବାବେଳେ ଖୁବ୍ ଶୀଘ୍ର ଛାତ୍ରୀଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)