ରାୟଗଡା ଜିଲ୍ଲାରେ ଭୟାନକ ନଦୀ ଜଳ କ୍ରୀଡ଼ା: ନାଗାବଳୀ ଓ ଝଞ୍ଜାବତୀରେ ବୁଡ଼ି ୨ ନାବାଳକ ନିଖୋଜ/ମୃତ, ଅନ୍ୟନ୍ୟ ସ୍ଥାନରୁ ଦୁଇଟି ଶବ ଉଦ୍ଧାର
ରାୟଗଡା ଜିଲ୍ଲାର ବିଭିନ୍ନ ନଦୀରେ ଗାଧୋଇବା ସମୟରେ ଘଟିଥିବା ଅସାବଧାନତାଜନିତ ଦୁର୍ଘଟଣାରେ ଦୁଇ ନାବାଳକ ନଦୀରେ ବୁଡ଼ି ଯାଇଛନ୍ତି। ଜଣଙ୍କର ଶବ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଏହାସହ ଅନ୍ୟ ଦୁଇଟି ସ୍ଥାନରୁ ମଧ୍ୟ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।

ରାୟଗଡ଼ା, (କଳିଙ୍ଗ ଦର୍ପଣ): ସୁବ୍ରତ ଚୌଧୁରୀ
ରାୟଗଡ଼ା ଜିଲ୍ଲାରେ ନଦୀ ଜଳରେ ବୁଡ଼ି ପ୍ରାଣହାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ନଜରକୁ ଆସିଛି। ଜିଲ୍ଲାର ଚିରସ୍ରୋତା ନାଗାବଳୀ ଓ ଝଞ୍ଜାବତୀ ନଦୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ନାବାଳକ ନିଖୋଜ ଓ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମୃତ ଓ ନିଖୋଜ ନାବାଳକ ଦ୍ୱୟ ହେଲେ ରାୟଗଡ଼ା ସହର ଢ଼େପ ସାହିର ପ୍ରଭାତ ପାଣି (୧୪) ଏବଂ ନୂଆସାହିର କହ୍ନେଇ କୈଶଲ୍ୟା (୭)।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ଢ଼େପ ସାହିର ପ୍ରଭାତ ନିଜ ସାଙ୍ଗମାନଙ୍କ ସହିତ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ତତ୍ପରତା ପ୍ରକାଶ ପାଇଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ସେହିପରି ମଙ୍ଗଳବାର ଦିନ ଝଞ୍ଜାବତୀ ନଦୀରେ ନୂଆସାହିର କହ୍ନେଇ ନିଜ ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ହଠାତ୍ ଗଭୀର ପାଣିରେ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସନ୍ଧ୍ୟାରେ ଆମ୍ବଗୁଡା ଘାଟ ନିକଟରୁ କହ୍ନେଇଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଅନ୍ୟ ଏକ ପୃଥକ୍ ଘଟଣାରେ, ଶେଷଖାଲ ଥାନା ଅନ୍ତର୍ଗତ ଟିକରକଣ୍ଟୁଆ ନାଗାବଳୀ ନଦୀ ଘାଟରୁ ଜଣେ ପ୍ରାୟ ୪୦ ବର୍ଷ ବୟସ୍କ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରିଥିବା ଥାନାଧିକାରୀ ଖୀରୋଦ ଚନ୍ଦ୍ର ବାଗ ସୂଚନା ଦେଇଛନ୍ତି। ସେହିପରି ଗୁଣପୁର ପୌରାଞ୍ଚଳ ଅନ୍ତର୍ଗତ ୪ ନମ୍ବର ୱାର୍ଡ କାତ୍ୱାଲୁଗୁଡା ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ବି. ପାଗାଡ଼ାଲୁ ବଂଶଧାରା ନଦୀରେ ବୁଡ଼ି ନିଖୋଜ ହେବାର ଦୀର୍ଘ ୪୮ ଘଣ୍ଟା ପରେ ତାଙ୍କର ମୃତଦେହ ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଗୋଟିଏ ପରେ ଗୋଟିଏ ଏପରି ଜଳ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)