ଭବାନୀପାଟଣା ରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡାକଡି.. ଦୋକାନୀ ଙ୍କ ଠାରୁ ଫାଇନ ଆଦାୟ
ଭବାନୀପାଟଣା(ଗଙ୍ଗାରାମ ସୁନାଙ୍କ ରିପୋର୍ଟ)
ଖାଦ୍ୟ ସୁରକ୍ଷା ଅନୁପାଳନ ଅଭିଯାନ – ଦ୍ୱିତୀୟ ଦିନ
ତାରିଖ: ୦୯/୦୯/୨୦୨୬

ଭବାନୀପାଟଣା ପୌରପାଳିକା ଅଞ୍ଚଳରେ ଚାଲିଥିବା ଖାଦ୍ୟ ସୁରକ୍ଷା ଅନୁପାଳନ ଅଭିଯାନର ଦ୍ୱିତୀୟ ଦିନରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକା ପକ୍ଷରୁ ବ୍ୟାପକ ଯାଞ୍ଚ ଓ ପ୍ରବର୍ତ୍ତନମୂଳକ କାର୍ଯ୍ୟାନୁଷ୍ଠାନ କରାଯାଇଛି।
ଏହି ଅଭିଯାନ ଅଧୀନରେ ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟ-ଫୁଡ୍ ଦୋକାନ, ରାସ୍ତାକଡ଼ ଖାଦ୍ୟ ବିକ୍ରୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ଖାଦ୍ୟ ବିକ୍ରୟ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା।
ଯାଞ୍ଚ କରାଯାଇଥିବା ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଭାଗୀରଥୀ ଇନ୍ ରେଷ୍ଟୁରାଣ୍ଟ, ହୋଟେଲ ସେଣ୍ଟ୍ରାଲ୍ ପାର୍କ, କ୍ରିସ୍ପି ଆଣ୍ଡ ସ୍ପାଇସି, ହୋଟେଲ ଅରବିନ୍ଦ, ରାଜସ୍ଥାନୀ ଭୋଜନାଳୟ, ଚିଲିକା ରେଷ୍ଟୁରାଣ୍ଟ, ଟ୍ୟାପ୍ ଆଣ୍ଡ ଟାଉନ୍, ପକ୍ୱାନ୍, ଚନ୍ଦ୍ରା ବେକେରୀ ସମେତ ଅନ୍ୟାନ୍ୟ ହୋଟେଲ ଓ ଫାଷ୍ଟ-ଫୁଡ୍ ପ୍ରତିଷ୍ଠାନ ରହିଛି।
ଯାଞ୍ଚ ସମୟରେ ପ୍ରତିଷ୍ଠାନଗୁଡ଼ିକର ପରିମଳ ବ୍ୟବସ୍ଥା, ଖାଦ୍ୟ ପ୍ରସ୍ତୁତି ଓ ସଂରକ୍ଷଣରେ ଖାଦ୍ୟ ସୁରକ୍ଷା ମାନଦଣ୍ଡର ଅନୁପାଳନ, ଏବଂ ପଲିଥିନ୍ ବ୍ୟବହାର ଆଦି ଉପରେ ବିଶେଷ ଯାଞ୍ଚ କରାଯାଇଥିଲା।
ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ବିରୋଧରେ ମୋଟ ₹୩୬,୫୦୦/- (ଛତିଶ ହଜାର ପାଞ୍ଚଶହ ଟଙ୍କା) ଜରିମାନା ଆଦାୟ କରାଯାଇଛି।
ଏହାସହିତ, ପଲିଥିନ୍ ବିରୋଧୀ ଅଭିଯାନରେ ମୋଟ ୮ କିଲୋଗ୍ରାମ ପଲିଥିନ୍ ଜବତ କରାଯାଇଛି। ପଲିଥିନ୍ ବ୍ୟବହାର କରିଥିବା ବ୍ୟବସାୟୀମାନଙ୍କ ଠାରୁ ଭବାନୀପାଟଣା ପୌରପାଳିକା ପକ୍ଷରୁ ମୋଟ ₹୮,୦୦୦/- (ଆଠ ହଜାର ଟଙ୍କା) ଜରିମାନା ଆଦାୟ କରାଯାଇଛି।
ଭବାନୀପାଟଣା ପୌରପାଳିକା ପକ୍ଷରୁ ଖାଦ୍ୟ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଏବଂ ନିଷିଦ୍ଧ ପଲିଥିନ୍ ବ୍ୟବହାର ରୋକିବା ନିମନ୍ତେ ଏଭଳି ପ୍ରବର୍ତ୍ତନମୂଳକ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପାଳିକା(ଭବାନୀପାଟଣା) ମୁକ୍ତ ସ୍ୱରରେ ଘୋଷଣା କରିଛନ୍ତି।
What's Your Reaction?
Like
2
Dislike
0
Love
2
Funny
0
Wow
1
Sad
0
Angry
0
Comments (0)